ବିଜୁ ପଟ୍ଟନାୟକ ସୁଇମିଂ ପୁଲ ଅନେକ ନୂତନ ସନ୍ତରଣକାରୀଙ୍କ ପାଇଁ ଉନ୍ମୁକ୍ତ ରହିଛି

ସୁବର୍ଣ୍ଣପୁର: କରୋନା ମହାମାରିର ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣ ଏବଂ ଛାତ୍ରୀଛାତ୍ର ମାନଙ୍କ ମନରେ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲର ଦ୍ୱାର ଉନ୍ମୁକ୍ତ ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଥିବାବେଳେ,ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଖେଳକୁଦ ଉପରେ ମଧ୍ୟ ଏହାର ବହୁତ ନକାରାତ୍ମକ ପ୍ରଭାବ ପଡିଛି । ଏଥିରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଶିଶୁ ଏବଂ ଛାତ୍ରୀଛାତ୍ର ଓ ସେମାନଙ୍କ ମନରେ ପୁନର୍ବାର ଆନନ୍ଦ ଉଲ୍ଲାସ ସମେତ ଫୁର୍ତ୍ତି ଏବଂ ଖେଳୁଆଡ଼ ମନୋଭାବ ଜାଗ୍ରତ କରି ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ଜିଲ୍ଲା କ୍ରୀଡା ଅଧିକାରୀ ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉଦ୍ୟମରେ ଏଥିପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ସୁଇମିଂ ପୁଲକୁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ କରାଯାଇଛି । ଯଦିଓ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବହୁ ପୂର୍ବରୁ ଆଭାସୀ ଜରିଆରେ ଉଦଘାଟିତ ହୋଇ ସାରିଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଏହାର ସମୁଚିତ ଉପଯୋଗ ହୋଇ ପାରୁନଥିଲା । ଏବେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଯିଏକି ନିଜେ ଜଣେ ଦକ୍ଷ ସନ୍ତରଣକାରୀ ଏହା ଉପରେ ସେ ସ୍ୱତନ୍ତ୍ର ନଜର ଦେଇ କିଭଳି ଜିଲ୍ଲାର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଏହି ସୁଇମିଂପୋଲ ବହୁମାତ୍ରାରେ ଉପଯୋଗୀ ହୋଇପାରିବ ତା ଉପରେ ଦୃଷ୍ଟି ଦେଇଛନ୍ତି । ତାଙ୍କ ଆଗ୍ରହ କ୍ରମେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ୪୦ ଜଣ ଛାତ୍ରୀଛାତ୍ର ସୁଇମିଂ ପୁଲରେ ନାମଲେଖାଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଜନସାଧାରଣ, ଉଭୟ ପୁରୁଷ ତଥା ମହିଳା ଓ ଛାତ୍ରୀଛାତ୍ର ମାନେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଗ୍ରହଣ କରିବାର ସୁବନ୍ଦୋବସ୍ତ କରାଯାଇଛି । ଉଭୟ ପୁରୁଷ ତଥା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଚେଞ୍ଜିଙ୍ଗ ରୁମ ସହିତ ୨୪ ଘଣ୍ଟିଆ ସିକ୍ୟୁରିଟୀ ବ୍ୟବସ୍ଥା ଅଛି । ବାଳକ ବାଳିକା ଏବଂ କିଶୋର କିଶୋରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଲାଇଫ ଜାକେଟ ସୁବିଧା ରହିଛି । ଏଥିପାଇଁ ଜିଲ୍ଲାର ଯେ କୌଣସି ଜାଗାରେ ଥିବା ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ମାନେ www.subarnapur.nic.in ମାଧ୍ୟମରେ ସୁଇମିଂ ପୁଲର ସଦସ୍ୟତା ଗ୍ରହଣ କରିପାରିବେ । ସକାଳ ୬ .୩୦ ଘ ରୁ ସନ୍ଧ୍ୟା ୭ ଟା ପର୍ଯନ୍ତ ପ୍ରତିଦିନ ଏହା ଖୋଲା ରହିଛି ଏବଂ ସନ୍ତରଣ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମହିଳା, ପୁରୁଷ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧ ଘଣ୍ଟା ଏବଂ ଘଣ୍ଟିକିଆ ପ୍ରଶିକ୍ଷଣ ପିରିୟଡ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଗତ ଡିସେମ୍ବର ମାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ସଫଳତାର ସହିତ ଏଠାରେ ଏକ ସନ୍ତରଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଅତ୍ୟାଧୁନିକ ସୁଇମିଂ ପୁଲର ସୁବିଧା ଜନସାଧାରଣ ଏବଂ ଛାତ୍ରୀଛାତ୍ର ନେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment