ବୌଦ୍ଧଜିଲ୍ଲାକୁ ନିଶାମୁକ୍ତ ସମାଜ ଗଠନ ଉପରେ ଏସ୍‌ପିଙ୍କ ଗୁରୁତ୍ୱ

ବୌଦ୍ଧ, ୨୩/୧୦(ହୀ.ପ୍ର):- ନିଶାମୁକ୍ତ ଭାରତ ଅଭିଯାନ ଏବଂ ନିଶାମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାକାର କରିବା ଦିଗରେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାଦ୍ରବ୍ୟର ଅବୈଧ କାରବାର, ଚୋରା ଚାଲାଣ ଓ ବ୍ୟବହାରକୁ ରୋକିବା ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ବୌଦ୍ଧ ଜିଲ୍ଲାକୁ ସଂପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପୋଲିସ । ଏଥିପାଇଁ ବୌଦ୍ଧ ପୋଲିସ ଉଭୟ ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ନଜର ରଖିଛି । ଦୁର୍ଗମ ଅଞ୍ଚଳରେ ଏଭଳି ବେଆଇନ ଗଞ୍ଜେଇ ଚାଷ ଉପରେ ସିଧାସଳଖ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜର ରଖାଯାଉଥିବାବେଳେ ଗଞ୍ଜେଇ ଚାଷ ସହ ଜଡିତ ପ୍ରତ୍ୟେକ ମାଫିଆଙ୍କୁ ଆଇନର ଜାଲରେ ଛନ୍ଦିବା ପାଇଁ ବୌଦ୍ଧ ପୋଲିସ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି କ୍ରମରେ ଗତକାଲି ଦୁଇ ଜଣ ବ୍ୟକ୍ତି ଏଭଳି ଗଞ୍ଜେଇ କିଆରୀରେ ପାଣି ଦେଉଥିବା ସମୟରେ ବୌଦ୍ଧ ପୋଲିସ ସେମାନଙ୍କୁ ଗିରଫ କରିଥିବା ଏସ୍ ପି କୁଲଦୀପ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏତଦବ୍ୟତୀତ ଚଳିତ ବର୍ଷ ଶହେରୁ ଉର୍ଦ୍ଧ୍ୱ ଗଞ୍ଜେଇ ମାମଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଥିବା ବେଳେ ୧୫ ବେଆଇନ ବନ୍ଧୁକ ଜବତ ହୋଇସାରିଥବା ଏସ୍ ପି ସୂଚନା ଦେଇଛନ୍ତି । ନିଶାଦ୍ରବ୍ୟର ଅପବ୍ୟବହାର ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜ ଉପରେ ଗଭୀର କୁପ୍ରଭାବ ପକାଇଥାଏ । ଏହାକୁ ରୋକିବା ପାଇଁ ପୋଲିସ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ନିଶାଦ୍ରବ୍ୟର ଅବୈଧ କାରବାରରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଯୁବପିଢ଼ିଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବୌଦ୍ଧ ଜିଲ୍ଲା ପୋଲିସ ନିଶାଦ୍ରବ୍ୟର ଅବୈଧ କାରବାର ଓ ଚୋରା ଚାଲାଣକୁ ରୋକିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରତିବଦ୍ଧ । ଏଥିସହ ନିଶାସକ୍ତ ବ୍ୟକ୍ତିଙ୍କୁ ଘୃଣା ନକରି ସେମାନଙ୍କୁ ନିଶାମୁକ୍ତ ହେବା ପାଇଁ ପ୍ରେରଣା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ଦିଗରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ଭୂମିକା ଜରୁରୀ । ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣ, ଯୁବପିଢ଼ି, ଅଭିଭାବକ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ମଧ୍ୟ ଜିଲ୍ଲା ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ ପିଙ୍କ ସହ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଲରେନସ୍ ରାଉତରାୟ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନୀ ଉପସ୍ଥିତ ଥିଲେ ।

Comments (0)
Add Comment