ପୁରୀ :ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା ଚାଲୁ ରହିଛି । ଆଜି ଗୋଟାଏ କବାଟରେ ରୁପା ଛାଉଣି କାର୍ଯ୍ୟ ଶେଷ ହେବ । ବାହୁଡ଼ା ଯାତ୍ରା ପୁର୍ବରୁ ସିଂହଦ୍ୱାରର ଦୁଇଟି କବାଟର ରୁପା ଛାଉଣୀ କାର୍ଯ୍ୟ ଶେଷ ହେବ । ମୁମ୍ବାଇରୁ ପାଞ୍ଚଶହ କେଜି ଓଜନର ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଉଦ୍ଧ୍ୱର୍ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ୱାର ମଧ୍ୟକୁ ନେଇଥିଲେ । ଏହି ଷ୍ଟିଲ ଫ୍ରେମ ନିର୍ମାଣ କାର୍ଯ୍ୟ ୧୫ଦିନ ତଳେ ମୁମ୍ବାଇରେ ରୂପା ଦାନ କରିଥିବା ଦାତାଙ୍କ କାରିଗର ଜଗଦୀଶ ଏବଂ ହସମୁଖଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ମୂଳ ସିଂହଦ୍ୱାର ଭଳି ମାପ, ଓଜନ, ଡିଜାଇନ ଓ କାରୁକାର୍ଯ୍ୟ ଥାଇ ଅବିକଳ ସିଂହଦ୍ୱାର ଲାଗିବା ପରେ ଷ୍ଟିଲ ଫ୍ରେମ ଲଗାଯାଉଛି । ରୁପା ଛାଉଣୀ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ କରି ଭକ୍ତଙ୍କ ପାଇଁ କଟକଣା ଥିବା ବେଳେ କେବଳ ସେବାୟତ ମାନେ ପ୍ରବେଶ କରୁଛନ୍ତି । ରୁପା ଛାଉଣୀ କବାଟ ଫିଟିଙ୍ଗ ସମୟରେ ସିସିଟିଭି କ୍ୟାମେରା, ମାଜିଷ୍ଟ୍ରେଟ ମୁତୟନ ସହ ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟିଲ ଫ୍ରେମ ଉପରେ ବର୍ମାଟିକ କାଠରେ ପ୍ରସ୍ତୁତ ଫ୍ରେମ ଲଗାଯାଇ ରୂପା ଛାଉଣୀ କରାଯାଉଚି । ବାହୁଡା଼ ଯାତ୍ରା ପୂର୍ବରୁ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି ।
ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ୱାରର ରୁପା ଛାଉଣୀ କରାଯାଇଥିବା ବେଳେ ଏବେ ଶ୍ରୀମନ୍ଦିର ସିଂହଦ୍ୱାର ରୂପାରେ ଝଲସିବ । ବାହୁଡା଼ ବେଳକୁ ଭକ୍ତ ଶ୍ରଦ୍ଧାଳୁ ଦେଖି ପାରିବେ ଶ୍ରୀମନ୍ଦିର ସିଂହଦ୍ୱାରର ନୂତନ ରୂପ । ଅନ୍ୟପଟେ ବାହୁଡା଼ ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ସଂରକ୍ଷଣ, ମରାମତି ଓ ରୁଟିନ କାର୍ଯ୍ୟ ଶେଷ କରାଯିବ ।