ପୁରୀ : ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଉଠିଲା ସମସ୍ତ କୋଭିଡ୍ କଟକଣା । ଆଜିଠାରୁ ପ୍ରତ୍ୟେକ ରବିବାର ସହ ସପ୍ତାହକ ସାତଦିନ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ଜାହିର୍ କରିଥିବା ବେଳେ ଚାରି ଦୁଆର ଖୋଲିଲେ ଆହୁରି ସୁବିଧା ହେବବୋଲି ମତ ପ୍ରକାଶ ପାଇଛି । ସେପଟେ ଭକ୍ତଙ୍କ ଲମ୍ବା ଲାଇନ୍ ଯୋଗୁଁ ଯନ୍ତ୍ରଣା ଓ ଭିଡକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହେବାରୁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ପୁରୀ ବିକାଶ ପରିଷଦ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।
ହସିଲା ବଡଦାଣ୍ଡ ଓ ହସିଲେ ଭକ୍ତ । ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ସମସ୍ତ କୋଭିଡ୍ କଟକଣା ହଟିଥିବାରୁ ସହଜ ହେଲା ଜଗା ଦର୍ଶନ । ଆଜିଠାରୁ ପ୍ରତି ରବିବାର ଭକ୍ତଙ୍କ ଲାଗି ଖୋଲିଲା ଶ୍ରୀମନ୍ଦିର । ଆଜି ଭୋର ୪.୪୦ରେ ଶ୍ରୀମନ୍ଦିର ଦ୍ୱାରଫିଟିବା ପରେ ମଙ୍ଗଳଆଳତୀ ଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ହେବ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ସାନିଟାଇଜ କରାଯାଉଥିଲା । ତେବେ କରୋନା ସଂକ୍ରମଣ ସ୍ଥିତି କ୍ରମଶଃ କମି ଥିବାରୁ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଆଧାରରେ ଆଜିଠାରୁ ପ୍ରତ୍ୟେକ ରବିବାରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ । ଆଜି ସକାଳୁ ସକାଳୁ ହଜାର ହଜାର ଭକ୍ତ ବ୍ୟାରିକେଡରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ସାନିଧ୍ୟ ଲାଭ କରିଛନ୍ତି । ପ୍ରଶାସନର ଏଭଳି ନୂଆ ଏସଓପିକୁ ଭକ୍ତ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଚାରି ଦୁଆର ଖୋଲାଗଲେ ଦର୍ଶନ ବ୍ୟବସ୍ଥାରେ ଆହୁରି ସୁଧାର ଆସିପାରନ୍ତା ବୋଲି ଦର୍ଶନାର୍ଥୀ ମାନେ ମତ ରଖିଛନ୍ତି ।
ସେପଟେ ଦୋଳପୂର୍ଣ୍ଣିମା ଦିନ ଯେଭଳି ପ୍ରବଳ ଗହଳି ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିପାଇଁ ପ୍ରଶାସନ ଦର୍ଶନ ବ୍ୟବସ୍ଥାରେ କିଛି ସୁଧାର ଆଣିଛନ୍ତି । ଆଜି ବ୍ୟାରିକେଡକୁ ମରଚିକୋଟଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ମରଚିକୋଟ ଛକଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ୍ କରି ଡହଡହ ଖରାରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ସାମିଆନାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲୁଥିବା ବେଳେ ଦର୍ଶନ ବ୍ୟବସ୍ଥା ବନ୍ଦ ହେବା ଯୋଗୁଁ ଡହଡହ ଖରାରେ ଭକ୍ତମାନେ ଲମ୍ବା ଲାଇନରେ ଠିଆ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଅସ୍ଥାୟୀ ସାମିଆନା ଯୋଗୁଁ ମୁଣ୍ଡ ଉପରେ ଛାଇ ରହିବାରୁ ଭକ୍ତମାନେ ସାମାନ୍ୟ ଆଶ୍ୱସ୍ତି ଲାଭ କରୁଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଭକ୍ତଙ୍କ ଅବାଧ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ପ୍ରଶାସନ ଫେଲ୍ ମାରିବାରୁ ପୁରୀ ବିକାଶ ପରିଷଦ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜ୍ଜୁ କରାଯାଇଛି ।
ଶୃଙ୍ଖଳିତ ଦର୍ଶନ ପାଇଁ ପୂର୍ବପରି ଚାରିଦ୍ୱାର ଖୋଲିବା ସହ ବିଶେଷ ନୀତିକାନ୍ତି ସମୟରେ ଯେତେବେଳେ ଦର୍ଶନ ବନ୍ଦ ରହୁଛି, ସେହି ସମୟରେ ଖରାରେ ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ବାହାରେ ଧାଡିରେ ଠିଆ କରାଇବା ଅପେକ୍ଷା ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛାଡିଦେବା ପାଇଁ ଭକ୍ତ ମହଲରେ ମତପ୍ରକାଶ ପାଇଛି ।