ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସ୍‌ଓପି, ୨୧ରୁ ଲାଗୁ ହେବ

ପୁରୀ : ଜଗା ଦର୍ଶନ ପାଇଁ ଜାରି ହେଲା ନୂତନ ଏସଓପି । ୨୧ ଫେବୃଆରୀରୁ ଲାଗୁ ହେବ ନୂଆ ନିୟମ । ଦର୍ଶନ ପାଇଁ ଦେଖେଇବାକୁ ପଡିବନି କୋଭିଡ ଟିକା ପ୍ରମାଣପତ୍ର । ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । କୋଭିଡର ଗାଇଡଲାଇନ ସହ ପୂର୍ବରୁ ୩୧ ଜାନୁଆରୀରେ ଏକ ଏସଓପି ଜାରି ହୋଇ ଖୋଲିଥିଲା ଶ୍ରୀମନ୍ଦିର । ତେବେ ଟିକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଥିଲା । ମାତ୍ର ନୂତନ ଏସଓପି ଅନୁଯାୟୀ ଆସନ୍ତା ଫେବୃଆରୀ ୨୧ରୁ ବିନା ଟିକା ପ୍ରମାଣପତ୍ରରେ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।
ନୂତନ ଏସଓପି ଅନୁଯାୟୀ ସକାଳ ୬ରୁ ରାତ୍ରି ୯ ପର୍ଯ୍ୟନ୍ତ ଦର୍ଶନର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ଟିକା କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ରର ଆବଶ୍ୟକତା ରହିବ ନାହିଁ । ପୂର୍ବ ଭଳି ପ୍ରତି ରବିବାର ବିଶୋଧନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବନ୍ଦ ରହିବ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ରହିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଥମିକତା ଦୃଷ୍ଟିରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ଭିନ୍ନ ଆଦେଶାନାମା ଜାରି ହେବ । ଧାଡିରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । କରୋନା ସ୍ଥିତିରେ ସୁଧାର ଆସିଥିବାବେଳେ ଏବଂ ଅଧିକାଂଶ ଲୋକେ ଟିକାକରଣରେ ସାମିଲ ହୋଇସାରିଥିବାରୁ ଏପରି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Comments (0)
Add Comment