୭ ବର୍ଷର ବିଶ୍ୱରାଜ୍‌କୁ ହତ୍ୟା କରିଥିବା ସ୍ୱୀକାର କଲେ ଦୁଇ ନାବାଳକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ଗତମାସ ୩୦ ତାରିଖ ସନ୍ଧ୍ୟାରେ ପିପଲପାଲି ଗ୍ରାମର ଏକ ପରିିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଉକ୍ତ ହତ୍ୟା ଘଟଣାରେ ଗତକାଲି ୨ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ପୁର୍ବ ଶତ୍ରୁତାକୁ ନେଇ ଉକ୍ତ ୨ ନାବାଳକ ବିଶ୍ୱରାଜକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଆଜି ଉଭୟ ବାଳ ଅପରାଧିଙ୍କୁ ବୌଦ୍ଧ ସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରିଛି କଣ୍ଟାମାଳ ପୁଲିସ । ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୨ ବର୍ଷ ଓ ଅନ୍ୟ ଜଣେ ୧୪ ବର୍ଷର ହୋଇଥିବା ଜଣାପଡ଼ିଛି ! କିଛି ଦିନ ପୂର୍ବେ ସ୍କୁଲରେ ଉଭୟ ଛାତ୍ର ଓ ବିଶ୍ୱରାଜଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଉକ୍ତ କଥାକୁ ନେଇ ଦୁଇ ନାବାଳକ ବିଶ୍ୱରାଜକୁ ଖେଳିବାକୁ ଡାକି ନେଇ କୂଅରେ ଠେଲି ଦେଇଥିବା ଆଜି ପୋଲିସ ଆଗରେ ସ୍ୱୀକାର କରିଥିଲେ । ଆଜି ଉଭୟ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବା କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

Comments (0)
Add Comment