ସୁବର୍ଣ୍ଣପୁର: ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ରାମେଶ୍ୱର ଷ୍ଟାଡିଅମଠାରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଡ. ସୁରେଶ ଚନ୍ଦ୍ର ଦଳାଇ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ମାନିତ ଅତିଥି ଭାବେ ଡ.ଦୀପକ କୁମାର ଆରକ୍ଷୀ ମହା ନିରୀକ୍ଷକ ଏନ. ଆର. ସମ୍ବଲପୁର, ସାରା ଶର୍ମା ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ସମ୍ବଲପୁର ଶାଖା, ଅବୋଲି ସୁନୀଲ ନରୱଣେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ, ଅମରେଶ ପଣ୍ଡା ଏସପି ସୁବର୍ଣ୍ଣପୁର ଯୋଗ ଦେଇ ସୁବର୍ଣ୍ଣପୁରର କଳା ସଂସ୍କୃତି ଓ ପର୍ଯ୍ୟଟନକୁ ଭୂୟସୀ ପ୍ରଶଂସା କରି ଏଠାକାର ଅଧିବାସୀଙ୍କ ହକି ଉତ୍ସାହ ଓ ମାହୋଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ସୋନପୁରର ପ୍ରାକ୍ତନ ଏସପି ସାରା ଶର୍ମା ମଞ୍ଚରେ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ । ସଂଗୀତକାର ଶାଶ୍ୱତ ତ୍ରିପାଠୀ ହକି ସଂଗୀତ ଗାନ କରି ଜାତୀୟ ଖେଳ ହକି ଉପରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ନିରୋଧ ଉପରେ ମଞ୍ଚରେ ନାଟକ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ, ଯାହାକି ଉପସ୍ଥିତ ଦର୍ଶକଙ୍କୁ ଭାବ ବିହ୍ୱଳ କରିପକାଇଥିଲା ।
ବିଶେଷ କରି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ କଥକ୍ ନାଚ ମାଧ୍ୟମରେ ସଚେତନତା ବାର୍ତ୍ତା ଦର୍ଶକଙ୍କୁ ବିମୋହିତ କରିଥିଲା । ଓଡିଶାର ସୁନାମଧନ୍ୟ ସିଙ୍ଗରମାନଙ୍କ ନାଚ ଗୀତ ମଧ୍ୟ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଉପଭୋଗ କରିଥିଲେ ।