ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦକୁ ଦଖଲ କଲା ବିଜେଡି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଯାକ ପୌର ପରିଷଦର ପୌରାଧ୍ୟକ୍ଷ ଆସନରେ ବିଜେଡି ବିଜୟୀ ହୋଇଛି । ସୁବର୍ଣ୍ଣପୁର ପୌର ପରିଷଦରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ତାମସୀ ତମସ୍ମିତା ନାଏକ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ରାଜଶ୍ରୀ ଦ୍ୱିବେଦୀଙ୍କ ଠାରୁ ୩୫୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପୌର ପରିଷଦର ୧୫ଟି ୱାର୍ଡରୁ ବିଜେଡି ୧୨ଟି, ବିଜେପି ୨ଟି ଓ କଂଗ୍ରେସ ୧ଟି ୱାର୍ଡରେ ବିଜୟୀ ହୋଇଛି । ଠିକ ସେହିପରି ତରଭା ଏନଏସିରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ବନ୍ଦିତା ନାଏକ ବିଜେପି ପ୍ରାର୍ଥୀ ଶିବାନୀ ସେଠଙ୍କ ଠାରୁ ୨୮୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ଏବଂ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିନିକା ଏନଏସିରେ ମଧ୍ୟ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଈ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ବିଶ୍ୱାମିତ୍ର ଭୋଈଙ୍କ ଠାରୁ ୨୮୧୨ ଭୋଟରେ ବିଜୟୀ ହୋଇଛନ୍ତି । ବିନିକା ଏନଏସିର ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ଓ ଗୋଟିଏ ୱାର୍ଡରେ ବିଜେପି ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ସମେତ ତରଭା ଓ ବିନିକାଠାରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭାଯାତ୍ରା କରି ସହରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments (0)
Add Comment