ସୁବର୍ଣ୍ଣପୁର,୨୮/୮:- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ଆଜି ତରଭା ପେଟ୍ରୋଲ ପମ୍ପଠାରୁ ବରିଷ୍ଠ ବିଜେପି ନେତା ବଲଦେବ ବେଦବାକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକ ବାଇକ ରାଲିରେ ସହର ପରିକ୍ରମା କରି ସରକାର ବିରୋଧୀ ସ୍ଳୋଗାନମାନ ଦେଇ ନୂଆପଡା, ରଥପଡା, ମେହେରପଡା, ସୁନାରିପଡା, ମାରୱାଡି ପଡା ଓ ଦୁର୍ଗାମଣ୍ଡପ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ରସରକାରଙ୍କ ଠାରୁ ଆସୁଥିବା ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ ନକରି ଧନୀବ୍ୟକ୍ତିଙ୍କୁ ଯେଉଁମାନଙ୍କର ଚାରିଚକିଆ ଗାଡ଼ି ଓ ପକ୍କା ଘର ଅଛି ତାଙ୍କୁ ପ୍ରଦାନ କରାଯାଉଛି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ, ସମସ୍ତ ସରକାରୀ ଅଫିସ ମାନଙ୍କରେ ହେଉଥିବା ୨୦ ରୁ ୨୫ ପ୍ରତିଶତ ପିସି କାରବାର ବନ୍ଦ କରାଯାଉ, ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ଥିବା ନଳକୂପ ମାନଙ୍କରୁ ବାହାରୁଥିବା ଫସଫରସ ମିଶା ପାଣି ପିଇ ଅନେକଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉ, ସୁବର୍ଣ୍ଣପୁର ଓ ତରଭା ଡାକ୍ତରଖାନାରେ ତୁରନ୍ତ ଡାଇଲେସିସ ମେସିନ ସ୍ଥାପନ କରାଯାଉ, ତରଭା ଡାକ୍ତରଖାନାରେ ତୁରନ୍ତ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୁରଣ କରାଯାଉ ଏବଂ ବ୍ଲକ ଅଞ୍ଚଳରେ କୃଷି ଓ କୃଷକର ଉନ୍ନତିପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଉ ଆଦି ୫ ଦଫା ସମ୍ବଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନିଲ କୁଲୁଙ୍କୁ ପ୍ରଦାନ କରାଯାଇଛି । ଆଜି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ବସିଥିବା ବିଡ଼ିଓ ଅନିଲ କୁଲୁ ଆସି ବିଜେପି କର୍ମୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ବଳଦେବ ବେଦବାକ ସମେତ ସରଗଜ ସରପଞ୍ଚ ନର୍ମଦା ମିଶ୍ର, ପବିତ୍ର କୁମାର ମିଶ୍ର, ସୁରେଶ କୁମାର ମିଶ୍ର, ବ୍ୟାସଦେବ ମିଶ୍ର, ସଂକୀର୍ତ୍ତନ କର୍ମୀ, ଜୟନାରାୟଣ ଗୁରୁ, ସାନନ୍ଦ କହଁର, ବୀରେନ୍ଦ୍ର ମହାନନ୍ଦ, ବିକି ସୁନା, ଭୀଷ୍ମ ବାଘ, ଗଙ୍ଗାରାମ ଦୀପ, ଜୟରାମ ଦୀପ ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ ।