ମଂଚରେ ଆଉ ଶୁଭିବନି ଭୂପେନଙ୍କ ସ୍ୱର…

ସୁବର୍ଣ୍ଣପୁର,୩୦/୫ – ସଂଗୀତ ନିର୍ଦ୍ଦେଶକ ଭୂପେନ୍ଦ୍ର ବସ୍ତିଆ ବୌଦ୍ଧଜିଲ୍ଲା ଖଟଖଟିଆ ଗ୍ରାମରେ ପିତା ରାମଚନ୍ଦ୍ର ବସ୍ତିଆ ଏବଂ ମାତା ସ୍ୱର୍ଗତ ଶାରଦା ବସ୍ତିଆଙ୍କ ଔରସରୁ ଜନ୍ମଲାଭ କରିଥିବା ଭୂପେନ ଶାସ୍ତ୍ରୀୟ ସଙ୍ଗୀତରେ ଡିଗ୍ରୀ ଶିକ୍ଷା ଲାଭ କରିଥିଲେ । ଖୁବ ସୁନ୍ଦର ଭାବରେ ଗିଟାର ଏବଂ ସୀତାର ବଜାଇପାରିବା ସହ ଅନେକ ବାଦ୍ୟଯନ୍ତ୍ର ବାଦନରେ ପାରିଦର୍ଶିତା ଲାଭ କରିଥିଲେ । ବିଶେଷକରି ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇ ଭୂପେନ ବେଶ ସୁନାମ ଅର୍ଜନ କରିଥିଲେ । ଯାତ୍ରୀ, ଖଟଖଟିଆ ଏବଂ ନାଟ୍‌, ସୁବର୍ଣ୍ଣପୁର ଦ୍ୱାରା ପରିବେଷିତ ନାଟ୍ୟକାର ଏବଂ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ନାଟକ କୁଇଲିର ସଂଗୀତ ନିର୍ଦ୍ଦେଶନା ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଥିଲା । ବିହାର ଭାଗଲପୁର ରଂଗ ମହୋତ୍ସବ, ଭୋଜପୁର ରଂଗ ମହୋତ୍ସବ, ଆରା, ଆଗ୍ରା ରଂଗ ସମାଗମ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇ ଭୂପେନ ପୁରସ୍କୃତ ହୋଇଥିଲେ । ମାଟି ମାଁ କଳାକେନ୍ଦ୍ର, ଛେମତଲା ଓ ସଂସ୍କୃତି ବିକାଶ କଳାକେନ୍ଦ୍ର, ପଲସାଗୋରା ସହ ବହୁବର୍ଷ ଧରି ସେ ଜଡିତ ଥିଲେ । ଏହା ବ୍ୟତୀତ ଉଷତ ସାଂସ୍କୃତିକ ପରିଷଦ, ଯାତ୍ରୀ, ଖଟଖଟିଆ ଏବଂ ନାଟ୍‌, ସୁବର୍ଣ୍ଣପୁରର ସେ ସକ୍ରିୟ ସଦସ୍ୟ ଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଲସାଗୋରା ଠାରେ ସଂଗୀତ ଏବଂ ନାଟକ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିବା ସହ ପାଞ୍ଚ ଜନ ଶିଷ୍ୟ/ଶିଷ୍ୟାଙ୍କୁ ସ୍ୱତନ୍ତ୍ର ଭାବେ ସଂଗୀତ ଶିକ୍ଷା ପ୍ରଦାନ କରୁଥିଲେ । ଚାରି ଭାଇଙ୍କ ମଧ୍ୟରେ ଭୂପେନ ଦ୍ୱିତୀୟ । ସଂସ୍କୃତି ସଂଗଠକ ଶୈଳେନ୍ଦ୍ର ବସ୍ତିଆଙ୍କ ସେ ଅନୁଜ । କିଛି ଦିନ ଧରି ଭୂପେନ ସ୍ୱାସ୍ଥ୍ୟଗତ କାରଣରୁ ବୁର୍ଲାରେ ଚିକିତ୍ସାଧୀନ ଥିଲେ । ତେବେ ଗତ ୨୫ ତାରିଖରେ ତାଙ୍କ ମାତାଙ୍କ ବିୟୋଗ ପରେ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥାରେ ଅବନତି ଦେଖାଦେଇଥିଲା ଏବଂ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାରରେ ଅନ୍ୟମାନଙ୍କ ସହ ତାଙ୍କ ବିଧବା ସ୍ତ୍ରୀ ଏବଂ ଦୁଇବର୍ଷର ଶିଶୁପୁତ୍ର ରହିଛନ୍ତି । ତାଙ୍କ ବିୟୋଗରେ ଅଂଚଳର କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ସଂଧ୍ୟାରେ ନାଟ୍‌, ସୁବର୍ଣ୍ଣପୁର ଏବଂ ଯାତ୍ରୀ, ଖଟଖଟିଆ ଦ୍ୱାରା ମିଳିତ ଭାବେ ଭରଚୁଆଲ ପ୍ଲାଟଫର୍ମରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଏଥିରେ ବନମାଳୀ ପଣ୍ଡା, କବି ନରେନ୍ଦ୍ର ଭୋଇ, ଅବିନାଶ ହୋତା, ସଞ୍ଜୟ ପଣ୍ଡା, ଅଜିତ ମେହେର, ପ୍ରଦ୍ୟୁମ୍ନ ସାହୁ, ସମୀର କୁମାର ସାହୁ, ଉମାକାନ୍ତ ବିଶି, ଜ୍ୟୋତି ବିକାଶ ମିଶ୍ର, ଶୈଳେନ୍ଦ୍ର ବସ୍ତିଆ, ପ୍ରଭାଂଶୁ ବାରିକ, ସୁଜିତ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ଭୂପେନଙ୍କ କୃତି ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments (0)
Add Comment