ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ

ସୁବର୍ଣ୍ଣପୁର : ଜ଼ିଲ୍ଲା ପ୍ରଶାସନ, ଏକ୍ସନ ଏଡ୍‌ ଓ ୟୁନିସେଫ ଓଡିଶାର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯଦିଓ ବାଲ୍ୟ ବିବାହ କମିବାରେ ଲାଗିଛି ତଥାପି ମଧ୍ୟ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ, ଶିଶୁ ଶ୍ରମକୁ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରାଯିବା ଉପରେ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ପରିସଂଖ୍ୟନ ମୁତାବକ ଜିଲ୍ଲାରେ ୧୫ ବର୍ଷରୁ ୧୭ ବର୍ଷ ମଧ୍ୟରେ ସ୍କୁଲ ଯାଉନଥିବା ଅଥବା ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀଙ୍କ ସଂଖ୍ୟା ୨୦୮୭ ରହିଛି । ଏହି ଡ୍ରପ ଆଉଟ କିଶୋର କିଶୋରୀଙ୍କ ଉପରେ ଆବଶ୍ୟକ ଧ୍ୟାନ ଦେବା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏମାନେ ପୁଣି ଯେପରି ଶିକ୍ଷା କ୍ଷେତ୍ରରେ ଯୋଡି ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବାଲ୍ୟ ବିବାହ କମୁଥିବା ବେଳେ କିଶୋରୀ ମାତୃତ୍ୱ ସଂଖ୍ୟା ବଢ଼ିବାରେ ଲାଗିଛି, ତେଣୁ ସମସ୍ତ ବିଭାଗୀୟ କାର୍ଯ୍ୟକର୍ତ୍ତା ଏହାକୁ ଗୁରୁତର ସହ ନେଇ ରୋକିବା ନିମନ୍ତେ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ । ଗତ ୨୧ ତାରିଖରେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା, ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯାତନା, କିଶୋର କିଶୋରୀ ସଶକ୍ତି କରଣ କୁ ତୃଣମୂଳ ସ୍ତରରେ ବ୍ୟାପକ କରିବା ନିମନ୍ତେ କିଶୋର କିଶୋରୀ ମାନଙ୍କୁ ନେଇ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରାଯାଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଥିବା ସୂଚନା ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ରାକେଶ ପ୍ରଧାନ ଜ଼ିଲ୍ଲା ସଂଯୋଜକ ଏକ୍ସନ ଏଡ୍‌ ଓ ୟୁନିସେଫ, ମଞ୍ଚ ସହିତ ଯୋଡି ହୋଇଥିବା କିଶୋରୀ ବାଳିକା ବାଳକ ମାନଙ୍କର ଭୂମିକା ଓ ଜନ ସଚେତନତା ସୃଷ୍ଟି ଦିଗରେ ସେମାନଙ୍କର ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Comments (0)
Add Comment