ସୁରଭି କାର୍ଯ୍ୟକ୍ରମ ନାମରେ ଚାନ୍ଦା ଆଦାୟ ଅଭିଯୋଗ !

ନନ୍ଦାହାଣ୍ଡି : ସୁରଭି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ଆଦାୟ ହେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ନନ୍ଦାହାଣ୍ଡି ବ୍ଲକରୁ ଆସୁଛି । ନନ୍ଦାହାଣ୍ଡି ବ୍ଳକରେ ଶିକ୍ଷା ବିଭାଗର ସୁରଭି କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥ ଅନୁଦାନ ଥିବା ସତ୍ତେ୍ୱ୍ୱ ଅଧିକାରୀଙ୍କ ଦ୍ୱାରା ଗତକାଲି ବିଭିନ୍ନ ସ୍କୁଲ ଚାନ୍ଦା ଆଦାୟ ହୋଇଥିବା ଜଣାପଡିଛି । ବ୍ଲକର ପ୍ରତି ପ୍ରାଥମିକ ବିଦ୍ୟାଳୟମାନଙ୍କଠାରୁ ୫୦୦ଟଙ୍କା ଓ ପ୍ରତି ହାଇସ୍କୁଲଠାରୁ ୧୦୦୦ଟଙ୍କା ଚାନ୍ଦା ଆଦାୟ ହୋଇଥିବା ଅଭିଯୋଗ ହୋଇଛି । କିଛି ସ୍କୁଲ ଠାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି ।


ବ୍ଳକର ଜଣେ ବରିଷ୍ଠ ଶିକ୍ଷକ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ ଏହି ଚାନ୍ଦା ଆଦାୟ ପ୍ରତ୍ୟେକ କାର୍ଯ୍ୟକ୍ରମରେ ହୁଏ । ସେମାନେ ଭବିଷ୍ୟତରେ ବ୍ଳକ ଅଧିକାରୀଙ୍କଠାରୁ ହଇରାଣ ହରକତ ହେବେ, ସେଥିପାଇଁ ସେମାନେ ଏହାର ବିରୋଧ କରିପାରୁନାହାନ୍ତି । ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀ ହରିହର ବେହେରାଙ୍କୁ ଏବିଷୟରେ ପଚାରିବାରୁ ଏହାର କିଛି ସତ୍ୟତା ନାହିଁ ବୋଲି କହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସରକାରଙ୍କ ଅନୁଦାନ ପନ୍ଦର ହଜାର ଟଙ୍କା ଆସିଛି କିନ୍ତୁ ଦିଆଯାଇ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି ସରକାରୀ ଅନୁଦାନ ଦିଆଯାଇନାହିଁ ବର୍ତ୍ତମାନ ସୁଦ୍ଧା ତାହା ହେଲେ ସୁରଭି କାର୍ଯ୍ୟକ୍ରମ କାହା ଟଙ୍କାରେ ଖର୍ଚ୍ଚ ହୋଇଛି ।
ଏବିଷୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ରମଣୀ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ କିଛି ଶିକ୍ଷକ ଅଭିଯୋଗ କରିଛନ୍ତି ଓ ଅସନ୍ତୁଷ୍ଟ ଥିବା କହିଛନ୍ତି । ଏହାର ସତ୍ୟାସତ୍ୟ ଉନ୍ମୋଚନ କରାଯାଉ ବୋଲି ମତ ଦେଇଛନ୍ତି ।
ଏହି ବିଷୟରେ ପ୍ରାଥମିକ ଶିକ୍ଷକ ସଂଘର ଆଇନ ପରାମର୍ଶଦାତା ଶ୍ରୀକାନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି କିଛି ଶିକ୍ଷକ ଅଭିଯୋଗ କରିଛନ୍ତି କିନ୍ତୁ ଅଫିସିଆଲି ସ୍ତରରେ ହଇରାଣ କରିବା ସମ୍ଭାବନା ରହିଛି ତେଣୁ ନାମ ଗୋପନ ରଖିବାକୁ କହିଛନ୍ତି । ଏହା ଘୋର ନିନ୍ଦନୀୟ ଘଟଣା । ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କୁ ସେ ଅନୁରୋଧ କରିଛନ୍ତି ।

Comments (0)
Add Comment