ସ୍ୱାମୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲା ସ୍ତ୍ରୀଙ୍କ ପ୍ରେତାତ୍ମା !

ବୌଦ୍ଧ,୨୦/୬(ହୀ.ପ୍ର)- ବିଜ୍ଞାନ ଯୁଗରେ ଭୂତପ୍ରେତକୁ ଲୋକମାନେ ବିଶ୍ୱାସ କରୁନଥିବାବେଳେ ଏବେବି ପ୍ରେତାତ୍ମା ଥିବା କିଛି ଲୋକଙ୍କ ଧାରଣା ରହିଛି । ବୌଦ୍ଧଜିଲ୍ଲା ମନମୁଣ୍ଡା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ଆତ୍ମହତ୍ୟାକୁ ନେଇ ପ୍ରେତାତ୍ମାର କାଣ୍ଡ ସଂପର୍କରେ ଚର୍ଚ୍ଚା ଖୁବ୍ ଜୋରରେ ଚାଲିଛି । ମିଳିଥିବା ସୂଚନା ଅନୁସାରେ ମନମୁଣ୍ଡା ନିକଟ ବାସୁଦେବପାଲିର ଅଲେଖ ମେହେର (୪୫)ଙ୍କ ଧର୍ମପତ୍ନୀଙ୍କ ଗତବର୍ଷ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁପରଠାରୁ ତାଙ୍କ ପତ୍ନୀଙ୍କ ପ୍ରେତାତ୍ମା ଅଲେଖକୁ ସବୁବେଳେ ଦେଖାଦେଉଥିଲା । ପତ୍ନୀଙ୍କ ପ୍ରେତାତ୍ମା ତାଙ୍କପାଖରେ ସବୁବେଳେ ରହୁଥିବା ଅଲେଖ ପରିବାର ଲୋକଙ୍କୁ କହିଥିଲେ । ପତ୍ନୀ ମରିଯାଇଥିବାରୁ ତାଙ୍କୁ ଝୁରିଝୁରି ଅଲେଖ ମାନସିକ ସ୍ତରରେ ଆଘାତ ପାଇ ଏଭଳି ଅନୁଭବ କରୁଥିବା ଘରଲୋକ ଭାବିଥିଲେ । ସେଥିପାଇଁ ଅଲେଖଙ୍କୁ ଗତ ୬ମାସ ତଳେ ଦ୍ୱିତୀୟ ବିବାହ କରାଇ ଦେଇଥିଲେ । ତଥାପି ଏଥିରେ ଅଲେଖଙ୍କ କୌଣସି ପରିବର୍ତ୍ତନ ହୋଇନଥିଲା ଓ ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ ।

ଗତକାଲି ଶୁକ୍ରବାର ସନ୍ଧ୍ୟାରେ ନିଜଘରେ ପଙ୍ଖାରେ ଲୁଗାଦେଇ ଅଲେଖ ଆତ୍ମହତ୍ୟା କରିଥିଲେ । ମୃତ ଅଲେଖଙ୍କ ଭାଇ ନିରଞ୍ଜନ ପ୍ରେତାତ୍ମାର ହରକତ କଥା ଉଲ୍ଲେଖକରି ଗତକାଲି ମନମୁଣ୍ଡା ଥାନାରେ ଭାଇର ଆତ୍ମହତ୍ୟା ନେଇ ଜଣାଇବା ପରେ ଏ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟବସ୍ତୁ ସାଜିଛି । ମନମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରିଛି । ଆଜି ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି ।

Comments (0)
Add Comment