ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ବହୁ ପ୍ରତିକ୍ଷୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ସହିତ ନୂଆ ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ୨୪ ତାରିଖରେ ମୁମ୍ବାଇରେ ଜାତୀୟ ଚୟନ କମିଟିର ବୈଠକ ଅନୁଷ୍ଠିତ ହେବା ପରେ ଏହା ଘୋଷଣା ହେବ ବୋଲି କ୍ରିକ୍ବାଜ୍ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କାର ଟେଷ୍ଟରେ ସ୍ଥାନ ପାଇଥିବା ପ୍ରାୟ ସବୁ ଖେଳାଳିଙ୍କୁ ଆଉଥରେ ସୁଯୋଗ ମିଳିପାରେ । କେବଳ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲି ଏହି ଫର୍ମାଟରୁ ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ଦୁଇ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏହି ଦୁଇ ଖେଳାଳିଙ୍କ ସ୍ଥାନ ନେବାକୁ ବହୁ ଖେଳାଳିଙ୍କ ନାମ ଚର୍ଚ୍ଚା ହେଉଥିଲେ ମଧ୍ୟ ସାଇ ସୁଦର୍ଶନ ଓ କରୁଣ ନାୟକଙ୍କ ନାମରେ ସର୍ବାଗ୍ରେ ରହିଛି । କାରଣ ଉଭୟ ଖେଳାଳି ଗତବର୍ଷ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ପୂର୍ବରୁ ମଧ୍ୟ ଏହି ଦୁଇ ଖେଳାଳିଙ୍କୁ ଭାରତୀୟ ଏ ଦଳରେ ସାମିଲ କରାଯାଇଛି । ଏବେ ତାଙ୍କୁ ସିନିୟର ଦଳରେ ମଧ୍ୟ ସ୍ଥାନ ମିଳିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କେବଳ ଘୋଷଣା ବାକି ରହିଛି । ସାଇ ସୁଦର୍ଶନ ବର୍ତ୍ତମାନ ଆଇପିଏଲରେ ଟପ୍ ସ୍କୋରର ରହିଛନ୍ତି । ତାମିଲନାଡୁର ଏହି ବାମହାତୀ ବ୍ୟାଟସମ୍ୟାନଙ୍କୁ ତାଙ୍କର ସୁଦୃଢ଼ କୌଶଳ ଏବଂ ଶାନ୍ତ ସ୍ୱଭାବ ପାଇଁ ସବୁବେଳେ ପ୍ରଶଂସାର ପାତ୍ର ହୋଇଛନ୍ତି । ସେହିପରି କରୁଣ ନାୟର ମଧ୍ୟ ଗତ ଘରୋଇ ସର୍କିଟରେ ଜଣେ ପ୍ରମୁଖ ସ୍କୋରର ଥିଲେ । ସେ ନଅଟି ରଣଜୀ ଟ୍ରଫି ମ୍ୟାଚ୍ରେ ଚାରି ଶତକ ସହିତ ୮୬୩ ରନ୍ ଏବଂ ଆଠଟି ବିଜୟ ହଜାରେ ଟ୍ରଫି ଇନିଂସରେ ପାଞ୍ଚ ଶତକ ସହିତ ୭୭୯ ରନ୍ କରିଥିଲେ । ସେହିପରି ସାଇଙ୍କୁ ଦଳରେ ସାମିଲ କରାଗଲେ ମଧ୍ୟ ସେ ଓପନିଂ କରିବାକୁ ସୁଯୋଗ ପାଇବେ ନାହିଁ । କାରଣ ଦଳର କୋଚ୍ ଗୌତମ ଗମ୍ଭୀର କେଏଲ ରାହୁଙ୍କୁ ଏହି ସ୍ଥାନ ଦେବାକୁ ମନ ସ୍ଥିର କରିସାରିଛନ୍ତି । ସେ ଯଶସ୍ୱୀଙ୍କୁ ସହ ଓପନିଂ କରିବେ । ସେହପରି ନମ୍ବର ୪ରେ ଶୁଭମନ ଗିଲ ଖେଳିବେ । ଅନ୍ୟ ପକ୍ଷରେ ତୃତୀୟ ସ୍ଥାନ ପାଇଁ ଉଭୟ କରୁଣ ଓ ସାଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । ପଞ୍ଚମ ସ୍ଥାନରେ ଉଇକେଟ୍ କିପର ପନ୍ତ ଖେଳିବା ନିଶ୍ଚିତ । ଭାରତୀୟ ଦଳରେ ସରଫରାଜ ଖାନଙ୍କୁ ସୁଯୋଗ ମିଳିବାକୁ ଥିବା ବେଳେ ବିଜିଟି ଦଳରେ ଥିବା ଦେବଦତ୍ତ ପାଡିକ୍କଲ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାଁନ୍ତି । ମହମ୍ମଦ ଶାମି ବାଦ ପଡ଼ିବା ପରେ ପେସର ଭାବେ ଜସପ୍ରିତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣ, ଆକାଶ ଦୀପ ଏବଂ ହର୍ଷିତ ରାଣା ରହିବେ ଏବଂ ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ସ୍ପିନର ହେବେ, ଯେଉଁମାନେ ଅଲରାଉଣ୍ଡର ଦକ୍ଷତା ମଧ୍ୟ ପ୍ରଦାନ କରନ୍ତି । ନୀତିଶ କୁମାର ରେଡ୍ଡୀ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ମଧ୍ୟ ସ୍ଥାନ ମିଳିପାରେ । ଦୁଇ ୱିକେଟକିପର ଋଷଭ ପନ୍ତ ଏବଂ ଧ୍ରୁବ ଜୁରେଲ ହେବେ ଏବଂ ଏକମାତ୍ର ବିଶେଷଜ୍ଞ ସ୍ପିନର କୁଲଦୀପ ଯାଦବ ହୋଇପାରନ୍ତି ।