ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରିଟି କମିଟି ଯଥା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାରେ ପ୍ରଥମଥର କରି ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ୱୟ ବୈଠକ ସହାୟକ କରିପାରିବ ବୋଲି ମତବ୍ୟକ୍ତ କରିବା ସହିତ, ଆସନ୍ତା ମାସକ ମାଧ୍ୟରେ ଜିଲ୍ଲାରେ ବାଲ୍ୟ ବିବାହ ହେଉଥିବା ଘଟଣାର ଆଇନଗତ ପଦକ୍ଷେପ ନେବା ସହିତ ଜିଲ୍ଲାରେ ଏହି ବର୍ଷ ମଧ୍ୟରେ କେତେଜଣ ବିବାହ କରିଛନ୍ତି । ତାହା ମଧ୍ୟରୁ କେତେ ଜଣ କମ ବୟସରେ ବିବାହ କରିଛନ୍ତି ତାହର ରିପୋର୍ଟ ଆସନ୍ତା ସାତ ଦିନ ମଧ୍ୟରେ ସିଡିପିଓମାନଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଚଳିତ ମାସରେ ଜିଲ୍ଲାରେ ୧୦ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଟିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୩୨ ଗୋଟି ବାଲ୍ୟବିବାହକୁ ବନ୍ଦ କରାଯିବା ସହିତ ୨୮୯ ରାଜସ୍ୱ ଗ୍ରାମ ଓ ୩୦୬ଟି ରାଜସ୍ୱ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯିବା ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବାଲ୍ୟବିବାହ ନିଷେଧ ଅଧିକାରୀ ସୁନିତା ଦେବୀ ତ୍ରିପାଠୀ , ବିନୋଦିନୀ ପଟ୍ଟନାୟକ, ଗୀତା ମହାରଣା , ଶୈଳେନ୍ଦ୍ରି ମହାନନ୍ଦ , ସୁପରଭାଇଜର କାଞ୍ଚନ ପଣ୍ଡା, ପ୍ରଣମିତା ପଟ୍ଟନାୟକ, ରମା ପଟ୍ଟନାୟକ, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣି ସ୍ୱାଇଁ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସୁପର ଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।