ଘୁ.ଉଦୟଗିରି ସହରରେ ଆରମ୍ଭ ଶାରଦୀୟ ଦୁର୍ଗାପୂଜା

ଘୁ.ଉଦୟଗିରି : ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଆଧାରରେ ଘୁ.ଉଦୟଗିରି ସହରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଷଷ୍ଠୀରେ ଅଞ୍ଚଳର ଆରାଧ୍ୟ ଦେବୀ ମା ବଡ଼ରାଉଳ ଦେବୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରି ମା’ଙ୍କୁ ଆବାହନ କରାଯାଇଥିଲା। ଏହାପରେ ବେଲବରଣ, ଜଳାଭିଷେକ, ବିଲ୍ଵୟାଧୁବରଣ ପ୍ରଭୁତି କାର୍ଯ୍ୟକ୍ରମ ସାରି ଆଜି ପବିତ୍ର ମହାଅଷ୍ଟମୀରେ ସୂର୍ଯ୍ୟ ପୂଜା ଆରମ୍ଭ କରି ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ ସହ ଚଣ୍ଡୀପାଠ ଆରମ୍ଭ କରାଯାଇ ହୋମଯଜ୍ଞ କରାଯାଇଛି। ଆସନ୍ତାକାଲି ନବମୀ ପୂଜା ଅନୁଷ୍ଠିତ ହେବ। କୋଭିଡ କଟକଣା ଯୋଗୁଁ ଅସ୍ଥାୟୀ ପୂଜା ମଣ୍ଡପକୁ ଚାରି ପାଖରୁ ବନ୍ଦ କରିଦିଆଯାଇଛି। କେବଳ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପରେ ସୀମିତ ସଂଖ୍ୟକ ପୂଜକ ଏବଂ କର୍ତା ଉପସ୍ଥିତ ରହୁଛନ୍ତି। ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ସନ୍ତୋଷ ପଣ୍ଡା ପ୍ରମୁଖ ପୂଜା ରୀତିନୀତି କରୁଥିବା ବେଳେ ରବିନ ପାଢ଼ୀ କର୍ତ୍ତା ଭାବେ କାର୍ଯ୍ୟ ତୁଲାଉଛନ୍ତି।

Comments (0)
Add Comment