ରଥକାଠ ଅନୁକୂଳ ପାଇଁ ବାହାରିଲା ଟିପଣା

ଦଶପଲ୍ଲା : ଆସନ୍ତା ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଷୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ପାଇଁ ଆଜି ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପୂଜା ପାଇଁ ଦୁଇଟି ଧାର୍ଯ୍ୟ କରାଯାଇଛି । ପୀଠରେ ରଥକାଠ ପୂଜାପାଇଁ ଦୁଇଟି ଦିନ ବିଶେଷକରି ମଙ୍ଗଳବାର ଦିନ ଏହି ପୂଜାନୀତି ଅନୁଷ୍ଠିତ ହେଉଥିବା ବେଳେ ଚଳିତ ମାସ ୨୮ ତାରିଖ ଓ ଆସନ୍ତା ଜାନୁଆରି ୧୧ ତାରିଖ ପାଇଁ ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳସ୍ଥିତ ମା ‘ ବଡ଼ରାଉଳଙ୍କ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି କାଠ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯାଉଥିବା ବେଳେ ମା’ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଅଂଗଲାଗି ମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୋଇଥାଏ ।

ବିଶେଷକରି ଏହି ପୂଜା ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହୁଏ । ମା’ବଡରାଉଳଙ୍କ ପୀଠରେ ପୂଜା ପରେ ଶ୍ରୀପଞ୍ଚମୀ ଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିର୍ମିତ ପ୍ରଥମ ପର୍ଯ୍ୟାୟ ରଥକାଠ କଟାଯାଇ ରଥଖଳାରେ ପହଞ୍ଚିଥାଏ । ରଥଖଳାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୨ ଫୁଟ ଲମ୍ବର ୩ଟି ଧଉରା କାଠ ପହଞ୍ଚିବାର ନିୟମ ରହିଛି ।

ଏହି କ୍ରମରେ ଆଜି ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର ଦାଶ ମା ’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ଶୁଭଦିନ ନିର୍ଘଣ୍ଟ ପାଇଁ ଗଣନା କରିଛନ୍ତି । ପୂଜାପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି । ଚଳିତ ମାସ ୨୮ ତାରିଖ ଓ ଆସନ୍ତା ଜାନୁଆରୀ ୧୧ ତାରିଖ ପାଇଁ ଶୁଭ ଦିନ ନିର୍ଘଣ୍ଟ କରାଯାଇଛି । ପୂଜକଙ୍କ ଏହି ଟିପଣୀକୁ ବନାଞ୍ଚଳ ଅଧିକାରୀ ଶ୍ରୀ ମଲିକ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ଶ୍ରୀମନ୍ଦିର ପ୍ରଶାସକ ନିକଟକୁ ଏହାକୁ ସେ ପଠାଇବେ । ଏହି ଦୁଇଟି ଦିନ ମଧ୍ୟରୁ ଯେ କୌଣସି ଗୋଟିଏ ଦିନ ଶ୍ରୀ ମନ୍ଦିର ପ୍ରଶାସକ ଧାର୍ଯ୍ୟ କରିବେ ବୋଲି ବନବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Comments (0)
Add Comment