ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଜରୁରୀ

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଦୁଇଦିନ ହେବ ଚାଲି ଗୁରୁବାର ଉଦ‌ଯାପିତ ହୋଇଛି । ବିଦ୍ୟାଳୟର ଖେଳପଡ଼ିଆ ମିନି ଷ୍ଟାଡ଼ିୟମ୍ ରେ ଆୟୋଜିତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୧୯୬୦ ମସିହାରୁ ଶିକ୍ଷାନୁରାଗୀ ଜମିଦାର ଅହମ୍ମଦ ବକ୍ସ ନାମରେ ନାମିତ ହୋଇଥିବା ଏହି ବିଦ୍ୟାଳୟଟି ଶିକ୍ଷାଦାନ କ୍ଷେତ୍ରରେ ଆଲୋକ ବର୍ତ୍ତିକା ପାଲଟିଛି ଏବଂ କଟକ ଜିଲ୍ଲାରେ ସୁନାମ ମଧ୍ୟ ଅର୍ଜନ କରିଛି । ଖୁବ୍ ଶୀଘ୍ର ଏହି ବିଦ୍ୟାଳୟକୁ ଏକ ଜ୍ଞାନର ପ୍ରୟୋଗଶାଳା କରା‌ଯିବ ଓ ଏଠାକାର ପିଲାମାନେ ବୈଭବଶାଳୀ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ନେବେ ବୋଲି ସେ ପ୍ରକାଶ କରିଥିଲେ । ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ୧୯୪୬ ମସିହାରେ ଏ ଅଞ୍ଚଳରେ ପ୍ରଜ୍ଵଳିତ ହୋଇଥିବା ଶିକ୍ଷାର ପ୍ରଦୀପ ଆଜିର ଜ୍ଞାନର ଆଲୋକ ବିକିରଣ କରୁଛି ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆର୍ଶିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସାଇଁ, ବଡ଼ମ୍ବା ବିଧାୟକ ବିଜୟଦଳ ବେହେରା ଓ ସୋରଡ଼ା ବିଧାୟକ ନୀଳ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ଅସ୍ମିତାର ପ୍ରତୀକ ହୀରକ ଜୟନ୍ତୀ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରାଯାଇଥିଲା ବେଳେ ହୀରକ ଜ୍ୟୋତି ଲୋକାର୍ପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଦେବେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନଶିକ୍ଷୟିତ୍ରୀ କାଦମ୍ବିନୀ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅକ୍ଷୟ କୁମାର ଷଢଙ୍ଗୀ, ସ୍ୱାଧୀନାନନ୍ଦ ପରିଡ଼ା ସଂଯୋଜନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ପୁରାତନ ବିଦ୍ୟାର୍ଥୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।

Comments (0)
Add Comment