୧୧ରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି । ଏବେ ପ୍ରବଳ ଶୀତ ଅନୁଭୂତ ହେବ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସାମୁଦ୍ରିକ ଝଡ଼ ‘ଜୱାଦ’ର ଦୁର୍ବଳ ଅବଶେଷ ‘ଅବପାତ’ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ । ଓଡ଼ିଶାରେ ଏହାର ଆଉ ବିଶେଷ ପ୍ରଭାବ ରହିବ ନାହିଁ । ତେଣୁ ଆଜିଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ ।

୮ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଏହା ପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ । ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ଓ ଖରାଟିଆ ରହିବ । ୧୧ ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments (0)
Add Comment