ଜାଡ଼ରେ ଥରିଲା ସାରା ଅଞ୍ଚଳ; ପାରଦ ୭ତଳକୁ ଖସି ୬.୪ରେକର୍ଡ଼

ଘୁ. ଉଦୟଗିରି ୧୮।୧୨: ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଗତ ୪ଦିନ ହେଲା ପାରଦ ୧ଡିଗ୍ରୀ ଖସି ଆଜି ୬.୪ଡିଗ୍ରୀ ରହିଥିବା ବେଳେ ଆଭ୍ୟନ୍ତରୀଣ ଅଂଚଳରେ ୬ଡିଗ୍ରୀ ରହିଥିବା ଜଣାପଡିଛି। ଶୀତ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଗରିବ ଲୋକ ଶୀତ ବଢିବା ପରେ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ଦିନରେ ଯେମିତି ସେମିତି ସୂର୍ଯ୍ୟଙ୍କ ରଶ୍ମିକୁ ଭରଷା କରି ରହୁଥିବା ବେଳେ ସଞ୍ଜ ନଇଁଲେ ମାଫି ଆସୁଛି ଥଣ୍ଡା କୋହଲା ପବନ। ଝାଟିମାଟି ଝୋପଡ଼ି ବସ୍ତି ଅଂଚଳରେ ଗରୀବର ଅବସ୍ଥା ଥଣ୍ଡା ପାଇଁ ଅସହ୍ୟ ହୋଇଯାଉଛି। ନିଆଁ ଜାଳି ରାତି ବିତୁଛି । ଅନ୍ୟପଟେ ରାତି ବଢିଲେ କୁହୁଡି ବଢୁଛି ସକାଳ କୁହୁଡି ସମ୍ପୂର୍ଣ୍ଣ ଅଞ୍ଚଳକୁ କବଳିତ କରି ରଖୁଛି। କୁହୁଡ଼ିର ଚାଦର ତଳେ ରହିଲା ଭଳି ମନେହେଉଛି। ଯେମିତି ଥଣ୍ଡା ବଢୁଛି ସେମିତି ଗରମ ପୋଷାକ ବ୍ୟବସାୟ ବି ବଢ଼ିବାରେ ଲାଗିଛି। ବାହାର ରାଜ୍ୟରୁ ବ୍ୟବସାୟୀ ଆସି କମଳ ବ୍ୟବସାୟ କରୁଥିବା ନଜରକୁ ଆସିଛି। ଗାଁ ଗାଁ ସାହି ଗଳି କନ୍ଦି ବୁଲି ଗରମ ପୋଷାକ ବ୍ୟବସାୟ କରୁଛନ୍ତି ବେପାରୀ। ବିନା ଗରମ ପୋଷାକ ଏବଂ ବିନା କମଳରେ ରାତ୍ରି ଯାପନ ଅସମ୍ଭବ ହୋଇପଡିଛି। ହାଡ଼ଭଙ୍ଗା ଶୀତ ଆହୁରି କିଛି ଦିନ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଆଗକୁ ପାରଦ ଆହୁରି ଖସିବା ସୂଚନା ଦେଇଛନ୍ତି।

Comments (0)
Add Comment