ବ୍ୟବସାୟୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକ

ସୁବର୍ଣ୍ଣପୁର : ଗତ ରାତିରେ ମୟୂରଉଡାନ ପଂଚାୟତ ସାର୍ଗୁଣାମୁଣ୍ଡା ଗାଁର ଜଣେ ମେଳାପୀ ବ୍ୟକ୍ତି ତଥା ପରିଚିତ ବ୍ୟବସାୟୀ ବୁଡୁ ସାହୁ( ୮୦)ଙ୍କ ହୃଦଘାତରେ ପରଲୋକ ଘଟି ଥିବାରୁ ତାଙ୍କର ଗାଁ ସମେତ ସାରା ମୟୂର ଉଡାନ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ଗାଁ ଶ୍ମଶାନ ଘାଟରେ ଶ୍ରୀ ସାହୁଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ କେଶବ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ଧର୍ମ ପତ୍ନୀ,ତିନି ଝିଅ ଓ ଜ୍ୱାଇଁ ନାତି ନାତୁଣୀ, ତିନିପୁଅ ମୃତ୍ୟ ଶଯ୍ୟା ପାଖରେ ଉପସ୍ଥିତ ଥିଲେ । ଶ୍ରୀ ସାହୁ ଜଣେ ଶାନ୍ତ, କର୍ତ୍ତବ୍ୟ ନିଷ୍ଠ, ମେଳାପୀ ବ୍ୟକ୍ତି ଓ ସଫଳ ବ୍ୟବସାୟୀ ଭାବେ ଏ ଅଞ୍ଚଳରେ ଖୁବ ପରିଚିତ ଥିବା ବେଳେ ପ୍ରଥମେ ସେ ଯୁବ ସମୟରୁ ଦୀର୍ଘ ୫୦ ବର୍ଷ ଆଗରୁ ଗାଁ ରେ ଗୋଟେ ତେଜରାଜୀ ଦୋକାନ ଆରମ୍ଭ କରିଥିଲେ ।

ପରେ ପରେ ସେ ସିଜିନାଲ ବେପାର ରେ କେବେ ଧାନ ତ କେବେ ମୁଗ ବିରି ତ କେବେ କପଡା, ଫ୍ୟାନ୍ସୀ ଜିନିଷ ସବୁ ସୋନପୁର, ବିନିକା, ଡୁଙ୍ଗୁରିପାଲି ଅଂଚଳର ଗାଁ ଗାଁ ବୁଲି ବ୍ୟବସାୟ କରି ଲୋକଙ୍କ ସହ ଖୁବ ପରିଚିତ ଥିଲେ । ଲୋକେ ପାଖ ଆଖ ସହରରୁ ଯେତେବେଳେ ମାର୍କେଟିଂ କରିବାକୁ ଦୂର ବା କଷ୍ଟ ବୋଲି ଭାବୁଥିଲେ ଶ୍ରୀ ସାହୁ ସେତେବେଳେ ସୁଦୂର ରାୟପୁରକୁ ଯାଇ ମାର୍କେଟିଙ୍ଗ କରି ଲୋକଙ୍କ ପାଇଁ ଫ୍ୟାନ୍ସି, କପଡା ଓ ବିଭିନ୍ନ ଆକର୍ଷଣୀୟ ଜିନିଷ ସବୁ ସଂଗ୍ରହ କରି ଆଣି ଗାଁ ଗାଁ ଯାଇ ବିକ୍ରୟ କରୁଥିଲେ । ଖୁବ କ୍ୱଚିତ ଲୋକଙ୍କ ମଧ୍ୟରେ ୮୦ ଦଶକ ରେ ସେ ରାଜଦୂତ ମଟର ସାଇକେଲ ଚଳାଇବାରେ ପାରଙ୍ଗମ ଥିଲେ ଏବଂ ଅନବରତ ଭାବେ ସେ ଦୀର୍ଘ ବର୍ଷ ଯାଏ ପାଦ ରେ ଚାଲି ଚାଲି ପ୍ରସିଦ୍ଧ ବାବାଧାମକୁ ବୋଲବମ ଯାତ୍ରା କରୁଥିଲେ ଯାହାକି ଉକ୍ତ ସମୟରେ ଅନେକ ଯୁବକ ଉଦବୃଦ୍ଧ ହୋଇ ଅଦ୍ୟାବଧି ଶ୍ରାବଣ ମାସରେ କାଉଡ଼ିଆ ସାଜି ଏବେମଧ୍ୟ ଯାଇଥାନ୍ତି । ଶ୍ରୀ ସାହୁ ହିନ୍ଦୀ, ଓଡ଼ିଆ, ବଙ୍ଗାଳି, ଗୁଜୁରାଟୀ, ବିଭିନ୍ନ ଭାଷା ପାରଙ୍ଗମ ଥିଲେ । ସେ ବିଭିନ୍ନ ଲୋକଙ୍କୁ ନାନା ବ୍ୟବସାୟ ଓ କୌଶଳ ଶିଖାଇଥିଲେ ।

ସୁବର୍ଣ୍ଣପୁର ଜ଼ିଲ୍ଲାର ବରିଷ୍ଠ ନେତା ତଥା ୨୫ ବର୍ଷ ଧରି ସରପଞ୍ଚ ପଦବୀରେ ରହିଥିବା ଏ ଅଞ୍ଚଳର ଜଣାଶୁଣା ନେତା ସ୍ୱର୍ଗୀୟ ଘାସିରାମ ତ୍ରିପାଠୀଙ୍କ ଅତି ଘନିଷ୍ଠ ବିଶ୍ୱସ୍ଥ ଓ ନିକଟତର ଭାବେ ମଧ୍ୟ ଶ୍ରୀ ସାହୁ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ସାହୁ ଜୀବନ ସଂଗ୍ରାମରେ ହାରି ଯାଇଛନ୍ତି ସତ, ହେଲେ ବୟସ କିନ୍ତୁ ତାଙ୍କ ଆଗରେ ହାର ମାନିଥିଲା କାରଣ ଖୁବକମ ବୟସରୁ ସେ ବିଭିନ୍ନ ବେପାର ଆରମ୍ଭ କରି ବୟସ ୮୦ ଯାଏ ଜୀବନର ଶେଷ ଦିନ ଯାଏ ସେ ବ୍ୟବସାୟ କାମ ରେ ମନ ପ୍ରାଣ ଦେଇ ସଂଗ୍ରାମ କରି ଆସିଥିଲେ । ଜଣେ ସଚ୍ଚୋଟ, ମିଷ୍ଠ ଭାଷୀ, ସଫଳ ବ୍ୟବସାୟୀ, ଉଦ୍ୟୋଗୀ ମଣିଷ ଭାବେ ଲୋକେ ସବୁ ଦିନ ତାଙ୍କୁ ମନେ କରିବେ ଏବଂ ପ୍ରତ୍ୟକ କ୍ଷେତ୍ରରେ ତାଙ୍କ ଏଭଳି ସାହସ, ନିଷ୍ଠା, ଉଦ୍ୟମ ଓ ପରିଶ୍ରମ, ଆଗାମୀ ଯୁବ ପିଢୀଙ୍କୁ ପ୍ରେରଣା ଦେବ ବୋଲି ମୟୂରଉଡାନ ପଞ୍ଚାୟତର କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Comments (0)
Add Comment