ସାବଧାନ! ଏଣିକି ଦ୍ରୁତ ଗାଡ଼ିଚାଳନା ପାଇଁ ଗଣିବାକୁ ହେବ ୭ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏଣିକି ଚାଳକମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ । ଚାଳକମାନେ ଯଦି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ସେମାନଙ୍କୁ ୭ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡ଼ିବ । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ) ରାଜଧାନୀର ୧୩ଟି ସ୍ଥାନରେ ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ଚିହ୍ନଟ (ଏଏନପିଆର) ଏବଂ ଟ୍ରାଫିକ୍‌ ଉଲ୍ଲଂଘନ ଚିହ୍ନଟ ସିଷ୍ଟମ୍‌ (ଟିଭିଡିଏସ) ସ୍ଥାପନ କରିଛି । ପଟିଆ ସ୍କୋୟାର, ପାୱାର ହାଉସ ସ୍କୋୟାର, କଲିଙ୍ଗ ଷ୍ଟାଡିୟମ ସ୍କୋୟାର, କ୍ୟାପିଟାଲ ହସ୍ପିଟାଲ ସ୍କେୟାର, କିଟ୍‌ ସ୍କୋୟାର,କିଟ କ୍ୟାମ୍ପସ -୩ ସ୍କୋୟାର, ଶିଶୁ ଭବନ ସ୍କୋୟାର,ବାଣୀ ବିହାରରୁ ଶିଶୁ ଭବନ,କ୍ୟାପିଟାଲ ସ୍କୋୟାର,ଶାସ୍ତ୍ରୀ ନଗର,ରାଜମହଲ,ଟ୍ରାଇଡେଣ୍ଟ ସ୍କୋୟାର ଓ ନାକା ଗେଟ୍‌ ସ୍କୋୟାରରେ ଉପରୋକ୍ତ ସିଷ୍ଟମ ଖଞ୍ଜାଯାଇଛି । ଏହି ସ୍ଥାନଗୁଡ଼ିକରେ ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ୭,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ । ଗାଡିର ମାଲିକଙ୍କ ପଞ୍ଜୀକୃତ ଯୋଗାଯୋଗ ନମ୍ବରରେ ଦଣ୍ଡ ବିଷୟରେ ଏକ ମେସେଜ । ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ମଧ୍ୟ ଏହି ଅପରାଧ ପାଇଁ ପୋଲିସ ଦ୍ୱାରା ନିଲମ୍ବିତ ହେବ । ଯଦି ଚାଳକ ନିଜର ବୈଧ ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ, ତେବେ ୭,୦୦୦ ଟଙ୍କା ଜରିମାନା ୨,୦୦୦ ଟଙ୍କାକୁ ହ୍ରାସ ପାଇବ । ତେବେ ଆସନ୍ତା ତିନିମାସ ପାଇଁ ଡିଏଲ ସ୍ଥଗିତ ରହିବ । ନିୟମ ଅନୁଯାୟୀ, ପ୍ରଥମ ତିନୋଟି ଅପରାଧ ପାଇଁ ଡିଏଲ ସ୍ଥଗିତ ରହିବ ଏବଂ ଚତୁର୍ଥ ଥର ବାତିଲ ହେବ ।

Comments (0)
Add Comment