ମୃତ୍ୟୁ ଏପରି ମଧ୍ୟ ଆସେ : ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ, ମାଉସୀ ପୁଅ ଭାଇ ଗୁରୁତର

ସୁବର୍ଣ୍ଣପୁର: ମୃତ୍ୟୁ ଯେ କେତେବେଳେ କିଭଳି ଆସିବ କଳନା କରିବା ଅସମ୍ଭବ । ଟ୍ରକ ଚକ ଫାଟି ଦୁଇ ଯୁବକଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାରେ ଅଭିନବ ଗୁରୁ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଉସୀ ପୁଅ ରଶ୍ମିରଞ୍ଜନ ମିଶ୍ର (୧୯) ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏନେଇ ରଶ୍ମିରଞ୍ଜନଙ୍କ ସାନଭାଇ ପ୍ରଦ୍ୟୁମ୍ନ କୁମାର ମିଶ୍ର ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସୋନପୁର ଟିକିରିପଡା ନିବାସୀ ସତ୍ୟବାନ ମିଶ୍ରଙ୍କ ପୁଅ ରଶ୍ମିରଞ୍ଜନ ମିଶ୍ର ଏବଂ ଅଭିନବ ଗୁରୁଙ୍କୁ ବଲାଙ୍ଗିର ଖୋର୍ଦ୍ଧା ଜାତୀୟ ରାଜପଥ କୁଲିପାଲି ଛକ ନିକଟରେ ଟ୍ରକଟି ଧକ୍କା ଦେଇଥିଲା । ବଲାଙ୍ଗିର ପଟୁ ଆସୁଥିବା ଓଆର୍‌ ୦୩ ସି ୩୨୨୫ ନମ୍ବର ବିଶିଷ୍ଟ ଟ୍ରକର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଉଭୟେ ପରିସ୍ରା ସାରି ଏକ ସ୍କୁଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଉଭୟଙ୍କ ଦେହରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି ମାଡି ଯାଇଥିଲା । ଉଭୟେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇ ଯାଇଥିଲେ । ଉଭୟଙ୍କୁ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଅଭିନବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରଶ୍ମିରଞ୍ଜନଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇ ଥିବାରୁ ଜିଲ୍ଲା ଡାକ୍ତରଖାନାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଉଭୟ ଯୁବକ ସୋନପୁରର ଜଣାଶୁଣା କ୍ୟାମେରାମ୍ୟାନ ହୋଇଥିବାରୁ ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ପ୍ରବଳ ଗହଳି ଲାଗିଥିଲା । ସଂପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା

Comments (0)
Add Comment