ଦଇବ ସାଧୁଛି ଦାଉ, କିଡ୍‌ନୀ ରୋଗରେ ଛଟପଟ ସବିତା

ଦଶପଲ୍ଲା: ଜୀବନ ଜିଁଇଛି ମରିମରି,ବଞ୍ଚିବାକୁ ଆଉ ଇଚ୍ଛାନାହିଁ କିନ୍ତୁ ବଞ୍ଚିବାକୁ ପଡୁଛି ମୋର ଚାରି ଝିଅ ପାଇଁ । ସତେ ଯେମିତି ପାଲଟି ଯାଇଛି ମୁଁ ଜିଅନ୍ତା ଶବ । ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ବିଡାପାଜୁ ଗାଁର ପ୍ରହଲ୍ଲାଦ ନାୟକଙ୍କ ସ୍ତ୍ରୀ ସବିତା ନାୟକ । ବଞ୍ଚିବା ପାଇଁ କରୁଛି ଆକୁଳ ନିବେଦନ ମତେ ବଞ୍ଚାଇ ଦିଅ…ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ଓ ଦୁର୍ବିସହ ଲାଗିଲାଣି ମୋତେ । ଦୁଇଟିଯାକ କିଡନୀ ନଷ୍ଟ ହେବା କାରଣରୁ ରୋଗ ଯନ୍ତ୍ରଣା ଓ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଡାପାଜୁ ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ସ୍ତ୍ରୀ ସବିତା ନାୟକ । ସବିତାଙ୍କ ପରିବାର କହିଲେ ସ୍ୱାମୀ ପ୍ରହଲ୍ଲାଦ ଓ ୪ ଟି ଝିଅ । ସୂଚନା ଅନୁସାରେ ଆଗରୁ ସବିତାଙ୍କଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ପ୍ରହଲ୍ଲାଦ ଦିନ ମଜୁରିଆ ଭାବରେ କାର୍ଯ୍ୟକରୀ ପରିବାର ପ୍ରତିପୋଷଣ କରି ଦଉଥିଲେ ।କିନ୍ତୁ ଗତ ୨ ବର୍ଷହେବ ସବିତା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରର ଚାରିକାନ୍ଥ ମଧ୍ୟରେ ଆଖିରୁ ଲୁହ ଗଡ଼ାଇ ଛଟପଟ ହେଉଛନ୍ତି । ପ୍ରହଲ୍ଲାଦ ଦିନ ମଜୁରୀଆ ଭାବେ କାମ କରିବାପାଇଁ ବର୍ତ୍ତମାନ ଅସମର୍ଥ କାରଣ ସ୍ତ୍ରୀ ରୋଗଶଯ୍ୟାରେ, ଘରେ ଚାରି ଚାରିଟି ଝିଅ । ପ୍ରହଲ୍ଲାଦ ଘରକଥା ବୁଝିବେ ନା ମୂଲଲାଗି ଅର୍ଥ ରୋଜଗାର କରିବେ । ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି । ତଥାପି ଦୁଃଖ ଭୁଲି ବଞ୍ଚିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି ସବିତା । ସବିତାଙ୍କ ପରିବାରକୁ ଗ୍ରାମବାସୀ ଚାନ୍ଦାକରି କିଛି ଅର୍ଥ ସହଯୋଗ କରିଥିବା ବେଳେ ସମୁଦ୍ରକୁ ସଂଖେ ପରି ସବୁ ଅର୍ଥ ନିଅଣ୍ଟ ପଡ଼ିଯାଇଛି ସବିତାଙ୍କ ପାଖରେ । ପରିବାର ଲୋକଙ୍କ କହିବା ଅନୁସାରେ ଗତ ୨ବର୍ଷ ତଳେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା ଫଳରେ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଫୁଲବାଣୀ, ପରେ ବ୍ରହ୍ମପୁର, ଭୁବନେଶ୍ୱର, କଟକ ପ୍ରଭୃତି ସ୍ଥାନକୁ ଯାଇ ସବିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖାଇବା ପରେ କିଏ କହିଲେ ସବିତାଙ୍କ ପେଟରେ ଷ୍ଟୋନହୋଇ ପାଣି ଜମିଛି ତ କିଏ କହିଲେ କ୍ୟାନସରକୁ ଗତି କରୁଛି । ତେବେ ଶେଷରେ ଏହା କିଡନୀ ରୋଗ ବୋଲି ଜଣା ପଡିଥିଲା । ନିଜର ଦୁଇଟି ଯାକ କିଡନୀ ଖରାପ କଥା ଶୁଣିଲା ପରେ ଧରାଶାୟୀ ହୋଇପଡ଼ି ରହିଛନ୍ତି ସବିତା ଓ ସବିତାଙ୍କ ପରିବାର । ସରକାରୀ ଯୋଜନା କହିଲେ ମିଳିଥିବା ବିଏସକେଓ୍ବାଇ କାର୍ଡ ଓ ରାସନ୍ କାର୍ଡ । କିନ୍ତୁ ସବିତାଙ୍କ କହିବା ମୁତାବକ ବିଏସକେଓ୍ବାଇ କାର୍ଡ ଥାଇ ଯାହା ନଥାଇ ତାହା । କାରଣ ମେଡିକାଲ୍ ଯେଉଁଠି ଫେରାଉଛି ସେଠି ବିଏସକେଓ୍ବାଇ କାର୍ଡ ବା କଣ କରିପାରିବ । ଯେଉଁଠିକି ଗଲେ ବି ସେଇ ଚିରାଚରିତ ଉତ୍ତର ଏଠି ହେବନି ତମେ ଅନ୍ୟ ସ୍ଥାନକୁ ଯାଅ । ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ସବିତା ଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଅସହାୟ । ଚାରି ଚାରିଟି ଝିଅ ଙ୍କ ପାଇଁ ଦୁଇଓଳି ଦୁଇ ମୁଠା ଖାଦ୍ୟ ପାଇଁ ମଧ୍ୟ ପଡୋଶୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଏବଂ ଅର୍ଥାଭାବରୁ ଗୋଟିଏ ଝିଅ ମଧ୍ୟ ୫ମ ଶ୍ରେଣୀରୁ ପାଠରେ ଡୋରୀ ବାନ୍ଧିଛି । ତେବେ ଦେଖାଯାଉ କେବେ ସବିତାଙ୍କ ପରିବାର ଉପରେ ପଡୁଛି ପ୍ରଶାସନର ଶୁଭଦୃଷ୍ଟି । ତେବେ କହିବାର କଥା ଏତିକି ଯେ, ଦୂଷିତ ଓ ପ୍ଲୋରାଇଡ୍ ଯୁକ୍ତ ପାନୀୟ ଜଳ ଯୋଗୁଁ ସବିତାଙ୍କ ସମେତ ଏହି ଗ୍ରାମର କ୍ଷେତ୍ର ନାୟକ,ତିନା ନାୟକଙ୍କ ଭଳି ଆହୁରି ଅନେକ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି କିଡନୀ ରୋଗୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବି ହେଉଛି ।

Comments (0)
Add Comment