ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଓଡିଶା ସରକାରଙ୍କ ଏକ ବର୍ଷର ଉପଲବ୍ଧି ତଥା ବରଗଡ଼ର ବିକାଶରେ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନ ନିର୍ମାଣ ତଥା ସମ୍ପ୍ରସାରଣ ପାଇଁ ୧୪୫. ୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ସହ କ୍ରୀଡା ଓ ଯୁବସେବା ବିଭାଗ ଅଧୀନରେ ଜାମୁଡ଼ା ଠାରେ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ୮୦୦. ୦ ଲକ୍ଷ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋଟ ୧୨୬୧. ୯ ଲକ୍ଷ ଅଟକଳ ମୂଲ୍ୟର ୧୪ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ବରଗଡର ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିଆ ମଞ୍ଚାସିନ ହୋଇ ସରକାରଙ୍କ ଏକ ବର୍ଷର ଉପଲବ୍ଧି ସହ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ । ଏଥିରେ ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ମଧ୍ୟ ମଞ୍ଚାସିନ ଥିଲେ ।

ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥିଙ୍କ ଦ୍ୱାରା ଜିଲ୍ଲାର ସଫଳ ମହିଳା ଚାଷୀ ଭାବେ କୁର୍ଲା ଗ୍ରାମର ମାଣିକ୍ୟ ପ୍ରଧାନଙ୍କ ଓ ସଫଳ ସୁଭଦ୍ରା ହିତାଧିକାରୀ ଭାବେ ସମର୍ପିତା ରାଉତ, ସଫଳ ଲକ୍ଷପତି ଦିଦି ଅଞ୍ଜଳି ମହାକୁର, ଅନ୍ତର୍ଜାତୀୟ ଜୁନିୟର ଲେଭେଲ ଆଥଲେଟ ପ୍ରତୀକ ମହାରଣା, ଜାତୀୟ ଯୋଗ ପତିଯୋଗିତାରେ ବ୍ରଞ୍ଚ ପଦକ ବିଜେତା ରଞ୍ଜିତା ଭୁଏ ଏବଂ ଜାପାନରୁ ଦୁଇ ଚକିଆ ଯାନ ମେକାନିଜିମ ପ୍ରଶିକ୍ଷଣ ଗ୍ରହଣ କରିଥିବା ଦିବ୍ୟସା ପ୍ରଧାନଙ୍କୁ ସମ୍ମାନିତ କରିବା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ଜୟନ ନାଗ, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ହିତାଧିକାରୀ ସୁରେଶ ପାଣି, ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀ ବାସନ୍ତୀ କର୍ଣ୍ଣ ଓ ସୁଷମା ବିଶିଙ୍କୁ ସରକାରୀ ସୁବିଧା, କାର୍ଯ୍ୟାଦେଶ ପ୍ରଦାନ ସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗନ୍ଧର୍ବୀ ସାହୁଙ୍କୁ ୧,୬୧,୨୮୦ ଟଙ୍କା ଏବଂ ୨୫୦୦ ମେଟ୍ରିକ ଟନ ବିଶିଷ୍ଟ ଶୀତଳ ଭଣ୍ଡାରର ବିଜୁଳି ଖର୍ଚ୍ଚର ୫୦% ରିହାତି ବାବଦକୁ ବରଗଡର ସାଇ କୋଲ୍ଡ ଷ୍ଟୋରେଜ ମାଲିକ ଆର. ଶାଇକିରଣଙ୍କୁ ରାଜ୍ୟ ଯୋଜନରୁ ୩,୦୭,୭୮୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

ଏତଦବ୍ୟତୀତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଭବ୍ୟ ଆୟୋଜନ ତଥା ସଫଳତା ପାଇଁ ଧନ୍ୟବାଦ ଉପହାର ସ୍ୱରୂପ ଧନୁଯାତ୍ରା କଫିଟେବୁଲ ବୁକ ଓ ସ୍ମରଣିକା ଧନୁଷ୍ପ୍ରଭାକୁ ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଏବଂ ସମ୍ପାଦକ ସୁରେଶ୍ୱର ଶତପଥୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

baragarhbreaking newsDharmendra Pradhanodia newsodisha news
Comments (0)
Add Comment