ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଭୁବନେଶ୍ୱର: ପେନସନ କାଗଜପତ୍ର ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଧରାପଡ଼ିଲେ ସିନିୟର କ୍ଲର୍କ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୨୦,୦୦୦ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଭବାନୀପାଟଣା RWS&S ଡିଭିଜନ ସିନିୟର କ୍ଲର୍କ  ଟି. ଭେଙ୍କଟଗିରି ରାଓ । ତାଙ୍କ ୩ଟି ସ୍ଥାନରେ ଭିଟିଲାନ୍ସ ଟିମ୍ ଏକକାଳୀନ ଚଢାଉ କରୁଛି ।

ସୂଚନା ମୁତାବକ, ଅଭିଯୋଗକାରୀ ୩୧.୦୩.୨୦୨୪ରେ ଅବସର ନେଇଥିଲେ । ଏହା ପରଠାରୁ ସିନିୟର କ୍ଲର୍କ  ଟି. ଭେଙ୍କଟଗିରି ରାଓଙ୍କୁ ତାଙ୍କ ପେନସନ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରି ଆସୁଥିଲେ । ବାରମ୍ବାର ଅନୁରୋଧ ପରେ ମଧ୍ୟ ଟି. ଭେଙ୍କଟଗିରି ରାଓ ଫାଇଲ୍ ପ୍ରକ୍ରିୟାକରଣ କରୁନଥିଲେ । ବରଂ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଯାହାପରେ ଅବସରପ୍ରାପ୍ତ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ଭବାନୀପାଟଣାସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଛି । ଭିଜିଲାନ୍ସ ଟିମ୍‌କୁ ଦେଖି ଟି. ଭେଙ୍କଟଗିରି ରାଓ ତାଙ୍କ କ୍ୱାର୍ଟରର ଝରକା ଦେଇ ଲାଞ୍ଚ ଟଙ୍କାକୁ ଫୋପାଡ଼ି ଦେବାକୁ ଚେଷ୍ଟା କରିଥିଲେ । ହେଲେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଛି ଏବଂ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ଏହି ଚଢାଉ ପରେ ତାଙ୍କ ତିନୋଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

Comments (0)
Add Comment