ଭୁବନେଶ୍ୱର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ବିଧାନସଭାରେ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଛନ୍ତି । ଏହାପରେ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଭୋଟ୍ ଦେଇଛନ୍ତି ।
ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡିଶାର ବିଧାୟକମାନେ ଭୋଟ୍ ଦେବେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍ ଦେବେ । ସେହିପରି ଓଡିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ । ଓଡିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି ।
ସୂଚନାଯୋଗ୍ୟ ଯେ, ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପାଇଁ ବିଜେଡି ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବାବେଳେ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ମନାଇଛି । ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ । କିନ୍ତୁ କଂଗ୍ରେସ ସାଂସଦ ଓ ବିଧାୟକ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ବିଧାୟକମାନଙ୍କ ଭୋଟ୍ ଯେପରି ନାକଚ ହେବନି ଏଥିପାଇଁ ଦଳ ପକ୍ଷରୁ ଏକ ମକ୍ ଭୋଟିଂ ମଧ୍ୟ କରାଯାଇଛି।।