ଶିକ୍ଷା ବିଭାଗରେ କନିଷ୍ଠ ସହାୟକ ମାନଙ୍କ ସ୍ୱାଗତ ସମାରୋହ

ବରଗଡ଼ : ବୁଧବାର ଦିନ ସକାଳ ୧୧.୦୦ ଘଟିକା ସମୟରେ ବରଗଡ଼ ଜିଲ୍ଲାର ଶିକ୍ଷା ବିଭାଗରେ ନୂତନ ଭାବରେ ଯୋଗଦାନ କରିଥିବା କନିଷ୍ଠ ସହାୟକ ମାନଙ୍କ ଏକ ସ୍ୱାଗତ ସମାରୋହ ଜର୍ଜ ହାଇସ୍କୁଲ ବରଗଡ଼ ସଭା କୋଠରୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ଜିଲ୍ଲାର ଅମଳା ସଂଘର ସଭାପତି ତଥା ଅବସରପ୍ରାପ୍ତ ଉପବିଭାଗୀୟ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମେହେର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଜ୍ୟୋତିକାନ୍ତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ବ୍ଳକ ଶିକ୍ଷା ଅଧିକାରୀ, ବରଗଡ଼ ଓ ଶ୍ରୀମତୀ ଶାଶ୍ବତୀ ଦାଶ, ପ୍ରଧାନ ଶିକ୍ଷକ, ଜର୍ଜ ହାଇସ୍କୁଲ, ବରଗଡ଼ ଯୋଗଦାନ କରିଥିଲେ। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରୀ ଫାଲଗୁନୀ ପଣ୍ଡା, ଶ୍ରୀ ଜ୍ଞାନ ପ୍ରକାଶ ସାହୁ, ଶ୍ରୀ ଜନ୍ମେଜୟ ପାତ୍ର ଓ ଶ୍ରୀ ନନ୍ଦକୁମାର ମିଶ୍ର। ନୂତନ ଭାବରେ ଶିକ୍ଷା ପରିବାରରେ ଯୋଗଦାନ କରିଥିବା ୮୬ଜଣ କନିଷ୍ଠ ସହାୟକ ମାନଙ୍କୁ ଉଦବୋଧନ ଦେଇ ସମୟାନୁବତ୍ତି ତଥା କର୍ତ୍ତବ୍ୟ ପରାୟଣ ହେବା ପାଇଁ ଶ୍ରୀମତୀ ଶାଶ୍ବତୀ ଦାଶ ଆହ୍ବାନ ଦେଇଥିଲେ। ତାଙ୍କ ଅଭିଭାଷଣରେ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ବ୍ଳକ ଶିକ୍ଷା ଅଧିକାରୀ, ବରଗଡ଼ ଆଜିର ନୂତନ ପିଢ଼ିର ସରକାରୀ ନିତି ନିୟମ ପାଳନ କରିବା ସହ ଓଡ଼ିଶା ସର୍ଭିସ କୋଡ଼, ରେକର୍ଡ ମାନୁଆଲ ଅନୁକରଣ କରି କାର୍ଯ୍ୟ କରିବା ପାଇଁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଜ୍ୟୋତିକାନ୍ତ ସାହୁ ବରଗଡ଼ ଜିଲ୍ଲାର କନିଷ୍ଠ ସହାୟକ ମାନେ ଜିଲ୍ଲା କାର୍ଯ୍ୟାଳୟ ଓ ବିଦ୍ୟାଳୟ ସହ ଯୋଗାଯୋଗ ମାଧ୍ୟମ ଭାବରେ କାର୍ଯ୍ୟ କରିବା ତଥା ସମସ୍ତ ସୂଚନା ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଅପରାହ୍ନ ଅଧବେଶନରେ ବରଗଡ଼ ଜିଲ୍ଲା ସରକାରୀ ଶିକ୍ଷା ଅମଲା ସଂଘର ଏକ କମିଟି ଗଠନ କରାଗଲା। ଏଥିରେ ଶ୍ରୀ ନନ୍ଦକୁମାର ମିଶ୍ର ଅଧ୍ୟକ୍ଷ, ଶ୍ରୀ ଜନ୍ମେଜୟ ପାତ୍ର ସଭାପତି, ଶ୍ରୀ ଫାଲଗୁନୀ ପଣ୍ଡା ସମ୍ପାଦକ, ତଥା ଶ୍ରୀ ସୁରଞ୍ଜନ ସାହୁ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। ଶେଷରେ ଶ୍ରୀ ଜ୍ଞାନ ପ୍ରକାଶ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments (0)
Add Comment