କରୋନାର ପ୍ରଭାବ : ଅଫିସ ଯିବାକୁ ପସନ୍ଦ କରୁନାହାନ୍ତି ୮୨ ପ୍ରତିଶତରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଜୀବନ ଓ ଜୀବିକା ଉପରେ କରୋନା ମହାମାରୀ ବ୍ୟାପକ ଓ ଗୁରୁତର ପ୍ରଭାବ ପକାଇଛି । ଜୀବିକାକୁ ଏହା ଏତେ ପ୍ରଭାବିତ କରିଛି ଯେ ଲୋକଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସଂକ୍ରମଣ କାରଣରୁ କର୍ମଚାରୀମାନେ ଅଫିସ ଯିବାକୁ ଆଉ ପୂର୍ବଭଳି ନିରାପଦ ମନେ କରୁନାହାନ୍ତି । ତା’ବଦଳରେ ସେମାନେ “ୱାର୍କ ଫ୍ରମ ହୋମ’କୁ ବିକଳ୍ପଭାବେ ବାଛି ନେଇଛନ୍ତି । ଏହି କାରଣରୁ ଅଫିସଗୁଡ଼ିକରେ କର୍ମଚାରୀଙ୍କ ଉପସ୍ଥିତି ସଂଖ୍ୟା ବହୁ ମାତ୍ରାରେ କମିଯାଇଛି । ୱାର୍କ ଫ୍ରମ ହୋମକୁ ସରକାର ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ତେଣୁ ବହୁ କର୍ମଚାରୀଙ୍କ ପାଇଁ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । କରୋନା ସଂକ୍ରମଣ ଓ କରୋନାଜନିତ ପାରିସ୍ଥିତି କାରଣରୁ ୮୨ ପ୍ରତିଶତ କର୍ମଚାରୀ ଅଫିସ ଯାଇ କାମ କରିବାକୁ ଚାହୁଁ ନାହାନ୍ତି । ସେମାନେ ୱାର୍କ ଫ୍ରମ ହୋମକୁ ଅଧିକ ପସନ୍ଦ କରୁଛନ୍ତି । ଏକ ଜାତୀୟସ୍ତରୀୟ ସର୍ଭେରୁ ଏହା ଜଣାପଡ଼ିଛି । ରୋଜଗାର ସମ୍ବନ୍ଧୀୟ ୱେବସାଇଟ “ଟେକ୍‌ ଟ୍ୟାଲେଣ୍ଟ ଆଉଟଲୁକ୍‌’ ଏହି ସର୍ଭେ କରିଥିଲା । ଏହାର ରିପୋର୍ଟ ଅନୁଯାୟୀ,୮୨ ପ୍ରତିଶତରୁ ଅଧିକ କର୍ମଚାରୀ ଅଫିସ ଯିବାକୁ ଚାହୁଁ ନାହାନ୍ତି । ସେମାନେ କହିଛନ୍ତି ଯେ ଅଫିସରେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଘରେ ବସି ଅନଲାଇନରେ ଅଫିସ କାମ କରିବା ସବୁଠୁ ନିରାପଦ । ତା ଛଡ଼ା,ୱାର୍କ ଫ୍ରମ ହୋମରେ ଟେନସନ କମ ଏବଂ ସଂକ୍ରମଣର ଆଶଙ୍କା ବିଲକୁଲ ନଥାଏ । ତା ସହିତ ଉତ୍ପାଦନ(ପ୍ରଡକ୍ଟିଭିଟି) କ୍ଷମତା ମଧ୍ୟ ବଢୁଛି ବୋଲି ସେମାନେ କହିଛନ୍ତି । କର୍ମଚାରୀମାନଙ୍କର ଏଭଳି ପସନ୍ଦ ଯୋଗୁ ଅଫିସଗୁଡ଼ିକ ଏବେ ସମସ୍ୟାରେ ପଡ଼ିଛି । କାରଣ ଏଭଳି କିଛି କାମ ଅଛି,ଯାହା କେବଳ ଅଫିସରେ ହିଁ ହୋଇପାରିବ । ଏତେ କମ କର୍ମଚାରୀରେ ଅଫିସ ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି ବୋଲି ସେମାନେ କହିଛନ୍ତି ।

Comments (0)
Add Comment