ୟୁକ୍ରେନରୁ ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ସୁବର୍ଣ୍ଣପୁରର ଡାକ୍ତରୀ ଛାତ୍ର

ସୁବର୍ଣ୍ଣପୁର : ୟୁକ୍ରେନରେ ଡାକ୍ତରୀ ପଢୁଥିବା ଛାତ୍ର ଆଜି ଘରକୁ ସୁରକ୍ଷିତ ଫେରିବା ପରେ ତାଙ୍କ ପରିବାରରେ ତଥା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଗତ ଦଶ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି ରହିଥିଲେ । ଏପରି ସ୍ଥଳେ ସୋନପୁର ଶାନ୍ତି ନଗର ,କଲେଜ ଲେନର ଜଣେ ଡାକ୍ତରୀ ଛାତ୍ର ୟୁକ୍ରେନର ଖାରକିଭ୍‌ରେ ଫସି ରହିଥିଲେ । ସୋନପୁରର ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନି ବିଶିଙ୍କ ପୁଅ ଆଶିଷ କୁମାର ବିଶି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିଲେ । ୨୪ ବର୍ଷୀୟ ଆଶିଷ ଖାରକିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ଶେଷ ବର୍ଷର ଛାତ୍ର ଥିଲେ । ଆଶିଷ ଛଅ ବର୍ଷ ହେଲା ସେଠାରେ ରହି ଡାକ୍ତରୀପାଠ ପଢୁଥିବା ବେଳେ ଆଉ ଦୁଇ ମାସ ପରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ବାକି ଥିଲା । ହେଲେ ଯୁଦ୍ଧ ଯୋଗୁଁ ସେ ସେଠାରେ ଫସି ରହିଥିଲେ । ହେଲେ ଗତ ଫେବୃୟାରୀ ୨୮ ତାରିଖ ଦିନ ଖାରକିଭରୁ ଟ୍ରେନ ଯୋଗେ ବାହାରି ପୋଲାଣ୍ଡ କୁ ଯାଇଥିଲେ । ପୋଲାଣ୍ଡରୁ ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଏହି ଛାତ୍ରମାନଙ୍କୁ ଭାରତକୁ ଅଣାଯାଇଛି । ନିଜ ଘରକୁ ଫେରି ଆଶିଷ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କ ପ୍ରଚେଷ୍ଟା ଯୋଗୁ ସେ ଯୁଦ୍ଧ ଭୂମିରୁ ନିଜ ଘରକୁ ସୁରକ୍ଷିତ ଫେରି ପାରିଛନ୍ତି ବୋଲି କହିଛନ୍ତି ।

Comments (0)
Add Comment