ଘୁ.ଉଦୟଗିରି : ଆଜି ସ୍ଥାନୀୟ ସମିତି ପ୍ରେକ୍ଷାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ଉପ ଜିଲ୍ଲାପାଳ ଦୁଃଖୀବନ୍ଧୁ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ, ପିଏ. ଆଇଟିଡିଏ ମଧୁସୂଦନ ବେହେରା, ସ୍ଥାନୀୟ ବିଡିଓ ଆଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଯୋଗ ଦେଇଥିଲେ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ବ୍ଲକର ବିଡିଓ, ତହସିଲଦାର ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ଗ୍ରାମରୁ ଲୋକେ ଆସିଥିବା ବେଳେ ଜିଲ୍ଲାପାଳଙ୍କୁ ନିଜ ନିଜ ଅଭିଯୋଗ କହିବା ସହ ଲିଖିତ ଦେଇଥିଲେ । ସେଥି ମଧ୍ୟରୁ ସାମୂହିକ ଅଭିଯୋଗ ତଥା ରାସ୍ତାଘାଟ, ବିଦ୍ୟୁତକରଣ, ମୋବାଇଲ ଟାୱାର ସ୍ଥାପନ ଏପରି ୪୫ ଟି ଏବଂ ବ୍ୟକ୍ତିଗତ ତଥା ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, ପେନସନ, ଭୂମିହୀନ ୫୭ଟି ସମୂଦାୟ ୧୦୨ ଗୋଟି ଅଭିଯୋଗ ହୋଇଥିଲା । ସମସ୍ତ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ କିଛି ଗାଁ ପରିଦର୍ଶନ କରିବା ପରେ ଫେରିଯାଇଥିବା ସୂଚନା ମିଳିଛି ।