ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ

0 90

ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀ କାଳୀନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ ହୋଇଯାଇଛି ।
ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା ଏବଂ ଏ’ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ନାନୀୟ ଉତ୍କଳ ବାଳାଶ୍ରମର ଛାତ୍ରଛାତ୍ରୀ, ସ୍କାଉଟ୍‌ ଓ ଗାଇଡ୍‌ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବାହ୍ନରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ପରେ, ପ୍ରାକ୍‌ ପ୍ରସ୍ତୁତି ଓ ଞ୍ଚ ପରିଚାଳନା ସମ୍ପର୍କରେ ଆଲୋଚନା ପାଇଁ ଏକ ସାଧାରଣ ସଭା ସହିତ ଜିଲ୍ଲା ସ୍ତରୀୟ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ,ବିଗତ ମହାବାତ୍ୟା ପର ଠାରୁ ଏହି ଦିବସ ପାଳିତ ହୋଇଆସୁଛି । ସେତେବେଳେ ଯଦି ଏବେ ଭଳି ଆମେ ପ୍ରସ୍ତୁତ ଥାନ୍ତେ, ତେବେ ଏତେ ପରିମାଣର ଧନ ଜୀବନ ନଷ୍ଟ ହୋଇ ନ ଥାନ୍ତା । ଆମେ ତ ପ୍ରାକୃତିକ ଦୁର୍ବିପାକକୁ ବନ୍ଦ କରିପାରିବାନି ମାତ୍ର ସାହସର ସହିତ ମୁକାବିଲା କରି ଧନ ଜୀବନ ନଷ୍ଟକୁ ରୋକି ପାରିବା । ସେଥିପାଇଁ ଆମଙ୍କୁ ସଚେତନ ହେବାକୁ ପଡ଼ିବ ଏବଂ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନିବାକୁ ପଡ଼ିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ । ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗଦେଇ ୧୯୯୯ ମସିହା ଅକ୍ଟୋବର ମାସ ୩୦ ତାରିଖ ଦିନ ୧୨ଟା ସମୟର ତିକ୍ତ ଅନୁଭୂତିରୁ କିଛି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ କହିଥିଲେ । ଏବେ ଆମେ ପ୍ରାୟ ସଚେତନ ଓ ସତର୍କ ହୋଇଗଲେଣି । ଜିଲ୍ଲା ପ୍ରଶାସନ ମଧ୍ୟ ଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନେଉଛି । ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗକୁ ମଧ୍ୟ ଜିଲ୍ଲା ପ୍ରଶାସନ ସହିତ ପୌର ପରିଷଦ ଏବଂ ଜନସାଧାରଣଙ୍କର ସହଯୋଗ ରହିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ମହାର୍ଷି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ବିଗତ ମହାବାତ୍ୟା ଯେଉଁଥିରେକି ଦଶ ହଜାରରୁ ଅଧିକ ସଖ୍ୟକ ଲୋକ ମୃତ୍ୟୁ ବରଣ କରିଥିଲେ ସେହି ଦୁଃଖଦ ଘଟଣାରୁ କିଛି ବର୍ଣନା କରିଥିଲେ । ଯେଉଁ ବିପର୍ଯ୍ୟୟ ପ୍ରାକୃତିକ ତା’କୁ ଆମେ ଅଟକାଇ ପାରିବା ନାହିଁ । ମାତ୍ର ବିପଦ ପ୍ରଶମନ ପାଇଁ ପଦକ୍ଷେପ ନେଇପାରିବା । ଆଉ ଯେଉଁ ବିପର୍ଯ୍ୟୟ ମଣିଷକୃତ ତା’କୁ ଚାହିଁଲେ ଆମେ ରୋକି ପାରିବା । ପରିବେଶ ପ୍ରଦୂଷଣ କରିବା,ପାନୀୟ ଜଳ ନଷ୍ଟ କରିବା, ଜଙ୍ଗଲ ଧ୍ୱଂସ କରିବା ଇତ୍ୟାଦି ଦ୍ୱାରା ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଛି ତାହା ମନୁଷ୍ୟ କୃତ ବୋଲି କୁହାଯିବ । ସେଥିପାଇଁ ମଣିଷ ସମାଜ ବି ଦିନେ ଧ୍ୱଂସ ମୁଖରେ ପଡ଼ିପାରେ । ଏହି ମନୁଷ୍ୟ କୃତ ବିପର୍ଯ୍ୟୟକୁ ଆମେ ଚାହିଁଲେ ରୋକିପାରିବା । ସେ ଯାହା ହେଉନା କାହିଁକି ଆମେ ଯଦି ସଚେତନ ହେବା, ସତର୍କ ହେବା ତେବେ ଆଗାମୀ ବିପଦକୁ କେତେକାଂଶରେ ପ୍ରଶମନ କରିପାରିବା ବୋଲି ସେ କହିଥିଲେ । ଜିଲ୍ଲା ଆପଦକାଳୀନ ଅଧିକାରୀ ରଞ୍ଜନ କୁମାର ମାର୍ଥା ତାଙ୍କର ପ୍ରାରମ୍ଭିକ ସୂଚନାରେ ବିଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତା ଗୁଡ଼ିକର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥୁମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜିଲ୍ଲା ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଧନ୍ୟବାଦ ଅର୍ପଣ କରିଥିବାବେଳେ ବରିଷ୍ଠ ରାଜସ୍ୱ ସହାୟିକା ଶ୍ରୀମତୀ ରୁପୟିକା ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଉକ୍ତ ବୈଠକରେ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବସନ୍ତ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ପ୍ରତୀକ କୁମାର ସାହୁ ଓ ଫୁଲବାଣୀ ଅଗ୍ନିଶମ ଅଧିକାରୀଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଓ ବେସରକାରୀ ପଦାଧିକାରୀ , ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve − four =