ଫସଲ ବୀମା ସହାୟତା ରାଶି ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

0 80

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ପଲସିପାଣି ପଞ୍ଚାୟତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମା ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଆଜି ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ୱରେ ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଫସଲ ବୀମା ସହାୟତା ରାଶି ପାଇଁ ଗୁହାରୀ କରିଛନ୍ତି । ୨୦୨୦-୨୧ ଖରିପ ବର୍ଷରେ ଉକ୍ତ ଅଞ୍ଚଳର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ତରବୋଡ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଟଙ୍କା ବାନ୍ଧିଥିଲେ । ସେହି ବର୍ଷ ଖରିପ ଋତୁରେ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଜିଲ୍ଲା ରାଜସ୍ୱ, କୃଷି ଓ ପରିସଂଖ୍ୟାନ ବିଭାଗ ତରଫରୁ ସର୍ଭେ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅଞ୍ଚଳରେ ମରୁଡ଼ି ହୋଇଥିବା ରାଜ୍ୟ ସରକାରଙ୍କ ଜରିଆରେ ବୀମା କମ୍ପାନିକୁ ରିପୋର୍ଟ ଦାଖଲ କରିଥିଲେ । ଏହାକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ କ୍ଷତିଗସ୍ତ ଚାଷୀଙ୍କୁ ବୀମା ସହାୟତା ରାଶି ମିଳିନଥିବା ଅଭିଯୋଗ କରିଛନ୍ତି । ଗତ ୨୦୧୮-୧୯ ବର୍ଷରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ଚାଷବାସ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ତଥାପି ଚାଷୀଙ୍କୁ ଫସଲ ବୀମା ସହାୟତା ରାଶି ମିଳିନଥିଲା । ଚାଷୀ ଧାରଉଧାର କରି ସହାୟତା ରାଶି ପାଇବା ଆଶାରେ ବୀମା ଟଙ୍କା ବାନ୍ଧିଥିଲେ । କିନ୍ତୁ ପ୍ରତିବର୍ଷ ଚାଷୀଙ୍କୁ ବୀମା କମ୍ପାନି ଶୋଷଣ କରୁଥିବା ଅଭିଯୋଗ ହେଉଛି । ଏଭଳି ପ୍ରତିବର୍ଷ ଅଞ୍ଚଳର ଚାଷୀ ମରୁଡ଼ିର ଶିକାର ହେଉଥିଲେ ସୁଦ୍ଧା ବୀମା ସହାୟତା ରାଶି ମିଳୁନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ୪ ବର୍ଷ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ମରୁଡି ପରିସ୍ଥିତି ଦେଖା ଦେଉଛି । ପ୍ରତିବର୍ଷ ଜିଲ୍ଲାରେ ଚାଷୀ ବୀମା ଟଙ୍କା ବାନ୍ଧୁଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ହେତୁ ଚାଷୀ ସହାୟତ ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳର ଚାଷୀ ଜିଲ୍ଲା ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଥିଲେ ବି କୌଣସି ସୁଫଳ ମିଳିନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଅଞ୍ଚଳରେ କ୍ରମାଗତ ମରୁଡ଼ି ପରିସ୍ଥିତି ଦେଖା ଦେଉଥିଲେ ବି ସରକାର କିମ୍ବା ପ୍ରଶାସନ ଏହାର କୌଣସି ସ୍ଥାୟୀ ସମାଧାନ କରୁନଥିବାରୁ ଚାଷୀ ତଳିତଳାନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ଶ୍ରୀ ମଙ୍ଗରାଜଙ୍କ ନେତୃତ୍ୱରେ ଅଞ୍ଚଳର ଚାଷି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଭେଟି ଏକ ଦାବିପତ୍ର ଦେବା ସହ ଫସଲ ବୀମା ସହାୟତା ରାଶି ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି । ଏହାକୁ ନେଇ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ, ଖୁବଶୀଘ୍ର ଯୋଗ୍ୟ ଚାଷୀଙ୍କୁ ବୀମା ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତୁରନ୍ତ ଚାଷୀଙ୍କୁ ବୀମା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − four =