ଲଗାଣ ବର୍ଷାର ତାଣ୍ଡବ : କୋଣାର୍କ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲହାନି

0 69

କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ଓ କୋଣାର୍କ ଏନଏସି ଅନ୍ତର୍ଗତ ୧୩ଗୋଟି ୱାର୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଶତାଧିକ ଚାଳଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଓ ଆଖପାଖ ଅଞ୍ଚଳର କାଦୁଆନୂଆଗାଁ, କୁରୁଜଙ୍ଗ, ଅବଦାନ, ମହଲପଡା, ବନାଖଣ୍ଡି, ସୁତନ, ତରକୋର, ଅଚ୍ୟୁତପୁର, ସିମିଳି ସମେତ କୋଣାର୍କ ଏନଏସି ଅନ୍ତର୍ଗତ ଡାଳିମ୍ବ ଗୋରଡି, କରମଙ୍ଗା, ନାଗାମଠ, ଜୁଣେଇ, ଗାଗପୁର, ରାଉଳପାଟଣା ଆଦି ଗ୍ରାମ ମାନଙ୍କରେ ହଜାର ହଜାର ହେକ୍ଟର ଚାଷ ଜମିରେ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି । ଏହା ଦ୍ୱାରା ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି । ଆସନ୍ନ ମରୁଡି ସମସ୍ୟା ପରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଫସଲ ନଷ୍ଟ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପକାଇଛି । ଏହି ଥାନା ଅଧୀନସ୍ଥ କାଦୁଆନୂଆଗାଁ, କୁରୁଜଙ୍ଗ ଓ ଅବଦାନ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି । ଏହି ସବୁ ଅଞ୍ଚଳର ବ୍ୟାପକ ଚାଳଘର ନଷ୍ଟ ହୋଇଛି ।

hiring

ଏହି ସବୁ ଅଞ୍ଚଳ ପରିଦର୍ଶନ କରିଛନ୍ତି କାକଟପୁର ବ୍ଲକ ବିଡିଓ ତୁଷାର ଜ୍ୟୋତି ରଂଜନ । ଖୁବଶୀଘ୍ର ଫସଲ ନଷ୍ଟର ଆକଳନ କରାଯାଇ ରାଜସ୍ୱ ବିଭାଗ ସହଯୋଗରେ ଅସ୍ଥାୟୀ ଭାବେ କ୍ଷୟକ୍ଷତି ରିପୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଲଗାଣବର୍ଷାରେ ଧ୍ୱଂସ ବିଧ୍ୱସ୍ତ ଚାଳଘର ହିତାଧିକାରୀମାନଙ୍କୁ ପଲିଥିନ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅନୁରୂପ ଭାବେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କୋଣାର୍କ ଏନଏସି ଅନ୍ତର୍ଗତ ୱାର୍ଡମାନଙ୍କରେ ଫସଲ ନଷ୍ଟର ଆକଳନ ସହ ଲଗାଣବର୍ଷାରେ କ୍ଷୟକ୍ଷତି ଚାଳଘର ହିତାଧିକାରୀମାନଙ୍କୁ ଗୋପ ତହସିଲ ପ୍ରଶାସନ ସହଯୋଗରେ ପଲିଥିନ ଓ ରିଲିଫ କୋଡ ଆଧାରରେ ରିଲିଫ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଥାନା ଅଧୀନସ୍ଥ ଗୋପ ବ୍ଳକର ବନାଖଣ୍ଡି, ମହଲପଡା, ସୂତନ, ତରକୋର, ସିମିଳି, ଅଚ୍ୟୁତପୁର ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ ଆବଶ୍ୟକ ମୁତାବକ ସହାୟତା ଲଗାଣବର୍ଷାରେ ପ୍ରପୀଡିତମାନଙ୍କୁ ପ୍ରଦାନ କରାଯିବ ବୋଲି ଗୋପ ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା ପ୍ରକାଶ କରିଛନ୍ତି । ତୁରନ୍ତ ଲଗାଣବର୍ଷାରେ କ୍ଷୟକ୍ଷତି ହୋଇଥିବା ଫସଲ ନଷ୍ଟର ଆକଳନ ସହ ଚାଳଘର ହିତାଧିକାରୀ ମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =