ହରଭଙ୍ଗା: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତି ଭିତରେ ହରଭଙ୍ଗାର ବଜାର ସାହି ଓ ଟିକିରା ସାହିର ୩ଟି ଅସହାୟ ପରିବାରର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାରର ଜୀବନ । ୩ଟି ପରିବାର ଭିତରୁ ୨ଜଣ ବିଧବା ଥିବାବେଳେ ଜଣେ ସ୍ୱାମୀ ପରିତ୍ୟକ୍ତା ବିଧବା ସତ୍ୟଭାମା ନାଏକ, ବିମଳା ମୁଦୁଲି ଓ ସ୍ୱାମୀ ପରିତ୍ୟକ୍ତା ଲଷ୍ମୀ ମାଲିକ ପର ଘରେ ମୂଲ ଲାଗି ଜୀବନ ବିତୁଥିବା ବେଳେ ଏ ବର୍ଷ ବନ୍ୟା ଦାଉ ସାଧି ଘର ଉଜାଡି ଦେଇଥିଲା । ଏହହି ତିନିଜଣ ଭୂମି ହୀନ ଥିବାବେଳେ ଏବେ ବାସହରା ହୋଇଯାଇଛନ୍ତି । ଜରିପାଲ ତଳେ ଏବେ ଏହି ତିନି ପରିବାରର ବିତୁଛି ଜୀବନ । ବନ୍ୟାରେ ଏମାନଙ୍କ ଲୁଗାପଟା, ବାସନ, ଚାଉଳ ଘର ଚଳଣି ଆସବାବପତ୍ର ସବୁ ଭାସି ଯିବାସହ ମୁଣ୍ଡ ଉପରୁ ଚାଲ ବି ଭାସିଯିବା ସହ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଏମାନେ ସମସ୍ତେ ଦାରିଦ୍ର୍ୟର ସୀମାରେଖା ତଳେ ବାସ କରନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଆବାସ ଗୃହ ଯୋଗାଇ ଦେବାସହ ଉଚିତ ଥଇଥାନ ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି ।