ପାଟଣାଗଡ : ପାଟଣାଗଡ ସହର ନିକଟବର୍ତ୍ତୀ ମାୟାବତୀ ନଦୀରେ ବନ୍ୟା ଭଳିଆ ସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମାୟାବତୀ ନଦୀ ରହିଛି । ଏହି ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳକୁ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ଗେଟ କରାଯାଇଛି । ନଦୀ କୂଳରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ କାର୍ଯ୍ୟାଳୟ ଅବସ୍ଥିତ । କର୍ମଚାରୀଙ୍କ ଷ୍ଟାଫ କ୍ୱାର୍ଟର ସହିତ ଦଶବାରଟି ବାସଗୃହ ମଧ୍ୟ ରହିଛି ।
ଗତକାଲିଠାରୁ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ମାୟାବତୀ ନଦୀରେ ଜଳ ପ୍ଲାବିତ ହେଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଦୂରଦୃଷ୍ଟିର ଅଭାବ ହେତୁ ଗେଟ ଖୋଲି ହେଉନାହିଁ । ଦମକଳ ବାହିନୀ ମଧ୍ୟ ଗେଟ ଖୋଲିବାରେ ବିଫଳ ହୋଇଛନ୍ତି । ଫଳରେ ଆଜି ସକାଳୁ ନଦୀଜଳ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ କୂଳରେ ଥିବା ଅଫିସ ଏବଂ ଘରକୁ ପାଣି ପଶିଯାଇଛି । ଆସବାବ ପତ୍ର, ଗୃହ ଉପକରଣ ଏବଂ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ସହିତ, ରିଲିଫ ସାମଗ୍ରୀ ବଣ୍ଟନ ଏବଂ ଗେଟ ଖୋଲିବା ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଏବଂ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।