ବିଗୁଡୁଛି ଜିଲ୍ଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା : କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ୱାସ୍ଥ୍ୟ ବିଭାଗ

0 129

ସୁବର୍ଣ୍ଣପୁର: କଥାରେ ଅଛି ‘ମତେ ଯେତେ ମାଠିବୁ ମାଠ୍‌, ମୁଁ ସେଇ ଦରପୁଡା କାଠ୍‌’ । ସଂସାରରେ ଏମିତି କିଛି ଜିନିଷ ଅଛି ଯାହାକୁ ସ୍ୱୟଂ ଭଗବାନ ଆସିଲେ ବି ବଦଳାଇ ପାରିବା ଅସମ୍ଭବ । ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା । ଜିଲ୍ଲା ଡାକ୍ତରଖାନାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଗତ ଶନିବାର ଜିଲ୍ଲା ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକରେ ଉପସ୍ଥିତ ସଦସ୍ୟ ମାନେ ମଧ୍ୟ ପରିମଳ ବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଡାକ୍ତରଖାନାକୁ ସଫା ସୁତୁରା ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଡାକ୍ତରଖାନା ପଛପଟେ ଶବ ସଂରକ୍ଷଣ ଗୃହ ପଟକୁ ଥିବା ଦ୍ୱାରକୁ ଦେଖିଲେ ସେହି ଟଙ୍କା କିଭଳି ଖର୍ଚ୍ଚ ହେଉଛି ତାହା ସହଜରେ ଅନୁମେୟ । କିଛି ଦିନ ପୂର୍ବରୁ କ୍ରମାଗତ ଭାବରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ କିଛିକାଂଶରେ ଏହି ରାସ୍ତାକୁ ସଫା ସୁତୁରା କରାଯାଇଥିଲା । କିଛି କିଛି ବ୍ଲିଚିଂ ପାଉଡର ମଧ୍ୟ ସିଞ୍ଚା ଯାଇଥିଲା, ତେବେ ୬-୭ ଦିନ ଗଲା ପରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ଏହି ରାସ୍ତାକୁ ଦେଖିଲେ ଲାଗୁଛି ଏହା ପୌର ପରିଷଦର ଡମ୍ପିଂ ୟାର୍ଡଠୁ କୌଣସି ଗୁଣରେ କମନୁହେଁ । କଳା ପଲିଥିନ୍‌ରେ ଭର୍ତ୍ତି କରି କୁଢ କୁଢ ଡାକ୍ତରଖାନାର ଆବର୍ଜନା ଏହି ରାସ୍ତାରେ ଫୋପାଡୁଛନ୍ତି । ଗନ୍ଧରେ ନାକ ଫାଟି ଯାଉଥିବା କହିଛନ୍ତି ଏହି ରାସ୍ତା ପାର୍ଶ୍ୱର ପଡା ବାସିନ୍ଦା । ତେବେ ଡାକ୍ତରଖାନାର ଆବର୍ଜନା ପରିଚାଳନା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମକାନୁନ ମଧ୍ୟ ରହିଛି । ଏହା ଅବମାନନା କରି ଖୁଲମଖୁଲା ଫିଙ୍ଗା ଯାଉଛି ଡାକ୍ତରଖାନାର ବର୍ଜ୍ୟବସ୍ତୁ । ଏହାକୁ ଗାଈ ଗୋରୁ ଖାଇ ବିଭିନ୍ନ ରୋଗରେ ପଡିବାର ଆଶଙ୍କା ଦେଖାଦେଇଛି ତଥା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବ୍ୟଣ୍ଡେଜ୍‌ କନା ଇତସ୍ତତ ପଡି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ରାସ୍ତାର ଆବଶ୍ୟକତା ନଥିଲେ କାହିଁକି ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ କରି ଲୁହା ଗେଟ୍‌ ବସାଇ ରାସ୍ତା ନିର୍ମାଣ କରାଯାଇ ଠିକାଦାର ପରିପୋଷଣ ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ।ଏଣୁ ଏଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × 1 =