ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

0 2,671

ବୌଦ୍ଧ,୧୪/୭ – ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ନେଇ କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଆଜିଠାରୁ ହେବ ବିଭିନ୍ନ ସ୍ଥାନରେ ଘନଘନ ତନଖି । ସେଥିପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୦ ଜଣ ବିଭିନ୍ନ ଅଧିକାରୀ ମାନଙ୍କୁ ଦେଇଛନ୍ତି ଦାୟିତ୍ୱ । ସେମାନେ ପ୍ରତିଦିନ ଲୋକଙ୍କ ଠାରୁ କେଉଁ ବାବଦରେ କେତେ ଟଂକା ଜୋରିମାନା କଲେ, କେତୋଟି ଦୋକାନ ସିଲ କଲେ, ଆଈ.ପି.ସି.ର ଧାରା ୧୮୮ ଅନୁଯାୟୀ କେତୋଟି ମାମଲା ରୁଜୁ କଲେ ସେ ସମ୍ପର୍କରେ ରାତି ୮ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ଅଧିକାରୀମାନେ ବିଭିନ୍ନ ହାଟ ବଜାର, ବ୍ୟବସାୟୀକ ସଂସ୍ଥା, ଦୋକାନ, ଛକ ବୁଲି ସାମାଜିକ ଦୂରତା ରକ୍ଷା କରୁନଥିବା ଓ ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଜୋରିମାନା କରିବେ । ମାସ୍କ ପିନ୍ଧି ନଥିବା ଲୋକଙ୍କୁ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ୫୦୦ ଟଂକା ତହିଁରୁ ଅଧିକ ଥର ହେଲେ ୧୦୦୦ ଟଂକା ଜୋରିମାନା ଆଦାୟ କରିବେ । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ପ୍ରଥମ ୩ ଥର ପାଇଁ ୨୦୦ ଟଂକା ଓ ତା ଠାରୁ ଅଧିକ ଥର ଭୁଲ କଲେ ୫୦୦ ଟଂକା ଲେଖାଏଁ ଜୋରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଅବଶ୍ୟ ଏ ଅଧିକାରୀମାନେ ତାଙ୍କର ଅଭିଯାନ କେବଳ ବୌଦ୍ଧ ସହରରେ କରିବେ ନା ଜିଲ୍ଲା ତମାମ୍ ହେବ ଚିଠିରେ କୌଣସି ଉଲ୍ଲେଖ କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

ten + six =