ବୌଦ୍ଧରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

0 60

ବୌଦ୍ଧ,୨୯/୧୦:- ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ ଘଟିକା ସମୟରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ରା଼ଲିର ଶୁଭ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜ଼ିଲ୍ଲା ସଂଗ୍ରହାଳୟ ଠାରୁ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ବୌଦ୍ଧ ସହର ସ୍ଥିତ ବିଭିନ୍ନ ବିଦ୍ୟାଳୟର ବିଦ୍ୟାଳୟ, ମହାବିଦ୍ୟାଳୟର ଏନ. ସି. ସି., ଏନ.ଏସ.ଏସ, ରେଡ଼କ୍ରସ ଛାତ୍ରଛାତ୍ରୀ, ଓଡ୍ରାଫ୍‌, ଅଗ୍ନିଶମ ଟିମ, ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହ ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ , ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ , ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ସାମିଲ ହୋଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ବିପର୍ଯ୍ୟୟର ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ରେ ଏକ ସଚେତନତା ସଭା ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସହକାରୀ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ସମସ୍ତଙ୍କୁ ସ୍ୱାଗତ କରିବାସହ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ୧୯୯୯ ମସିହା ବାତ୍ୟା ଭୟାବହତା, ନିଜସ୍ୱ ଅନୁଭୂତି ବର୍ଣ୍ଣନା କରିବା ସହ ପରିବେଶକୁ ସବୁଜ, ସୁନ୍ଦର ରଖିବା, ଗୋଷ୍ଠୀ ସହଯୋଗ ର ଆବଶ୍ୟକତା, ପ୍ରଚାର, ପ୍ରସାର ଫଳରେ ଆମେ ବିପର୍ଯ୍ୟୟର ମୁକାବିଲା କରିବାକୁ ସକ୍ଷମ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ । ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ବିପର୍ଯ୍ୟୟ ପୂର୍ବରୁ ଏବଂ ବିପର୍ଯ୍ୟୟ ପରେ ଧନ, ଜୀବନ ର ସୁରକ୍ଷା ପାଇଁ ପ୍ରସ୍ତୁତି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏ ନେଇ ସଚେତନତା, ସାଇକେଲର ବ୍ୟବହାର ଉପଯୁକ୍ତ ବୋଲି ମତବ୍ୟକ୍ତ କରିବା ସହ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସଂତୃପ୍ତି ସାହୁ ସଶକ୍ତ ଗୋଷ୍ଠି ସୁରକ୍ଷିତ ଓଡିଶା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଡ଼. ପ୍ରବୀର ଦାସ ଏହି ସଭା ସଂଯୋଜନା କରିବାସହ ଘରପୋଡି, ନଈବଢ଼ି ଆଦି ବିପର୍ଯ୍ୟୟର ମୁକାବିଲା,ଏନ. ସି. ସି., ଏନ. ଏସ. ଏସ, ରେଡ଼କ୍ରସ ଟିମକୁ ତାଲିମ ଦେବା ସହ ସଂଗଠିତ କରିବା ବିଷୟରେ ମତବ୍ୟକ୍ତ କରିଥିଲେ । ପରେ ଉଚ୍ଚ଼ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ କେନ୍ଦ୍ରୀୟ ବିଦ୍ୟାଳୟର ତୃପ୍ତିମୟୀ ଭଞ୍ଜ -ପ୍ରଥମ, ସଂତୃପ୍ତି ସାହୁ -ଦ୍ୱିତୀୟ, ନୀତିଶ କୁମାର ବେହେରା ଏବଂ ସେଣ୍ଟ ଜାଭିୟର ସ୍କୁଲ ର ଋତୁପର୍ଣ୍ଣା ସାମଲ -ତୃତୀୟ, ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ପୂଜା ରାଣୀ ସାହୁ – ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟର ବିୟୁଟି ସାହୁ -ଦ୍ୱିତୀୟ, ବାଳିକା ଉଚ୍ଚ ବିଦ୍ୟାଳୟର ଦୀପିକା ବାରିକ – ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପରେ ପରେ ଇନିସ୍ପେକ୍ଟର,ଓଡ୍ରାଫଟ ଅଶ୍ୱିନୀ କୁମାର ମାଝୀ, ହାବିଲଦାର ସୁବ୍ରତ ଝାଙ୍କର, ଗିରିଧାରୀ ଖମାରୀ ଏବଂ ସମସ୍ତ ଓଡ୍ରାଫ୍ଟ ଟିମ ଉଚ୍ଚ଼ ଅଟ୍ଟାଳିକାରୁ ଉଦ୍ଧାର କାର୍ଯ୍ୟର କଳା କୌଶଳ ଏବଂ ଅନ୍ୟାନ୍ୟ ଉଦ୍ଧାର ଜ୍ଞାନ କୌଶଳ ଡେମୋନଷ୍ଟ୍ରେସନ ମାଧ୍ୟମରେ ଦେଖାଇଥିଲେ । ପରେ ସହ ଅଗ୍ନି ସମାଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଦାଶ, ଏଲ. ଏଫ. ଏମ. ମାୟାଧର ବେହେରା, ଶିବରାମ ସ୍ୱାଇଁ, ଅମିତ ସୋରେଙ୍ଗ ଏବଂ ଜ଼ିଲ୍ଲା ଅଗ୍ନିଶମ ଟିମ ଗ୍ୟାସ ରୁ ନିଆଁ ଲିଭାଇବା, ୨ ମହଲା ବିଲଡିଂ ରେ ନିଆଁ ଲାଗିଲେ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜ୍ଞାନ କୌଶଳ,ବିପର୍ଯ୍ୟୟରୁ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ବିଷୟରେ ଉପସ୍ଥିତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଏଥି ସହିତ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର ଏବଂ ସାହାଯ୍ୟ କରିବା, ଅଗ୍ନି ନିରାପତ୍ତା, ବିଜୁଳି, ଭୂମିକମ୍ପରୁ ସୁରକ୍ଷା ଉପରେ ମକଡ୍ରିଲ ମାଧ୍ୟମରେ ଓଡ୍ରାଫଟ ଏବଂ ଅଗ୍ନିଶମ ଟିମ ସଚେତନତା ସୃଷ୍ଟି କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା ଏବଂ ଜ଼ିଲ୍ଲା ଜରୁରୀ କାଳୀନ ଶାଖାର ସମସ୍ତ ଟିମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =