ଦଶପଲ୍ଲା,୬/୧୦ : ପବିତ୍ର ଦଶହରାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ସଂଧ୍ୟା ସମୟରେ ଦଶପଲ୍ଲା ନିକଟସ୍ଥ ଗୋଡିବିଡ଼ା ଅଭୟପୁର ମଧ୍ୟରେ, କାଳେଶ୍ୱର ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କଲ୍ୟାଣୀ ପଣ୍ଡା ସେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ । ଗୁରୁତର ୩ ଜଣଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭରଙ୍କ ସମେତ ୨ ଯାତ୍ରୀ ଲିକୁନ ବେହେରା ଓ ଟିଟୁନା ସାହୁ । ଗୁରୁତର ଆହତ ତିନିଯାତ୍ରୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ରଞ୍ଜନନଗରରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଭିମୁଖେ ଗତକାଲି ଅପରାହ୍ନରେ ଏକ ଘରୋଇ ବସ୍ ‘ କାଳେଶ୍ୱର ’ ବାହାରିଥିଲା । ଯାତ୍ରୀବାହୀ ବସ୍ ଦଶପଲ୍ଲାରେ ପହଂଚିବା ପୂର୍ବରୁ ରାତି ପ୍ରାୟ ୯ଟା ସମୟରେ ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ତଦନ୍ତ ଜାରିରଖିଛି ।