‘ରେପୋ ରେଟ୍‌’ ଅପରିବର୍ତ୍ତିତ

ମୁମ୍ବାଇ: ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ‘ରେପୋ ରେଟ୍‌’ ୬.୫% ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୨୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରିଥିଲା। ବୈଶ୍ବିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍‌ ‘ମନିଟାରି ପଲିସି ଆକମଡେସନ୍‌’ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧର ଦର କମ୍‌ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି।

ଆର୍ଥିକ ବର୍ଷ ୨୩ରେ ୭% ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଥିବା କଥା ମଧ୍ୟ ଗଭର୍ଣ୍ଣର୍‌ ଦାସ କହିଛନ୍ତି। ଆର୍ଥିକ ବର୍ଷ ୨୪ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅଭିବୃଦ୍ଧି ହାର ୬.୪ରୁ ସାମାନ୍ୟ ବୃଦ୍ଧି କରି ୬.୫% ହେବ ବୋଲି ଆକଳନ କରିଛି।

Comments (0)
Add Comment