ଆଜମଗଡରୁ ଜିତିଲେ ଭୋଜପୁରୀ ଷ୍ଟାର ନିରହୁଆ

ଆଜମଗଡ଼: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପି ବଡ ବିଜୟ ହାସଲ କରିଛି। ରାମପୁର ପରେ ଆଜମଗଡରେ ମଧ୍ୟ ବିଜେପି ବାଜିମାତ୍ କରିଛି। ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ। ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି। ତିନି ବର୍ଷ ପୂର୍ବେ ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିରହୁଆଙ୍କ ଶୋଚନୀୟ ଭାବେ  ହରାଇଥିଲେ। ହେଲେ ଏଥର ଉପ ନିର୍ବାଚନରେ ସପା ପ୍ରାର୍ଥୀଙ୍କୁ ହରାଇ ବାଜିମାତ୍ କରିଛନ୍ତି ନିରହୁଆ।

 ନିର୍ବାଚନ   ଆୟୋଗଙ୍କ ଅନୁଯାୟୀ, ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିରହୁଆଙ୍କୁ ୩୧୨୭୬୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସପାର ଧର୍ମେନ୍ଦ୍ର ଯାଦବଙ୍କୁ ୩୦୪୦୮୯ ଖଣ୍ଡ ଭୋଟ୍ ମିଳିଛି। ନିରହୁଆ ୮୫୦୦ ଭୋଟରେ ବିଜୟ ହାସଲ କରିଛନ୍ତି। କୁହାଯାଉଛି ବହୁଜନ ସମାଜ ପାର୍ଟି ରାମପୁରରେ ନିର୍ବାଚନ ନଲଢି ଆଜମଗଢରେ ପ୍ରାର୍ଥୀ ଦେଇ ସମାଜବାଦୀ ପାର୍ଟିର ସବୁ ସମୀକରଣ ବିଗାଡି ଦେଇଛି।

ଆଜମଗଡ ଆସନର ଉପ ନିର୍ବାଚନରେ ନିରହୁଆ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ପ୍ରତି ରାଉଣ୍ଡ ସହ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଥିଲା। ଶେଷ ପର୍ଯ୍ୟାୟ ଭୋଟ୍ ଗଣତିରେ ନିରହୁଆ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିବା ସହ ବାଜି ମାରି ନେଇଛନ୍ତି।

Comments (0)
Add Comment