କଂଗ୍ରେସକୁ ପିକେଙ୍କ ମନ୍ତ୍ର, ଓଡିଶା ସମେତ ଏହି ସବୁ ରାଜ୍ୟରେ ଏକାକୀ ଲଢ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦଲେଣି । ନିକଟରେ ଶେଷ ହୋଇଥିବା ୫ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନାହିଁ । ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଉଚ୍ଚସ୍ତରୀୟ ନେତାଙ୍କ ଘନଘନ ବୈଠକ ଜାରି ରହିଛି । ଆଜି ତୃତୀୟ ଥର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ପୁଣି ଥରେ ପିକେଙ୍କ ସହ ବୈଠକ ହୋଇଥିଲା । ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ କିପରି ନିର୍ବାଚନରେ ସଫଳତା ପାଇପାରିବ ସେ ନେଇ କିଛି ଟିପ୍ସ ଦେଇଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ ୟୁପି, ବିହାର ଏବଂ ଓଡିଶା ଭଳି ରାଜ୍ୟରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବା ଉଚିତ । ଏହା ବ୍ୟତୀତ ତାମିଲନାଡୁ, ମହାରାଷ୍ଟ୍ର ଏବଂ ବଙ୍ଗଳା ଭଳି ରାଜ୍ୟରେ ମିଳିତ ମଞ୍ଚ ଗଠନ କରାଯିବା ଉଚିତ୍‌ । ଗତ ୪ ଦିନ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଘରେ ପ୍ରଶାନ୍ତ କିଶୋରଙ୍କର ଏହା ତୃତୀୟ ବୈଠକ ଥିଲା । ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ସେ ସୋନିଆ ଗାନ୍ଧୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲେ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।
ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ସିଏମ୍‌ କମଲ ନାଥ, ଦିଗବିଜୟ ସିଂ, ମୁକୁଲ ୱାସନିକ, ଜୟରାମ ରମେଶ, କେସି ଭେନୁଗୋପାଲ, ଏ.କେ ଆଣ୍ଟୋନି ଏବଂ ଅମ୍ବିକା ସୋନି ମଧ୍ୟ ଉପସ୍ଥିତ ଥିଲେ । ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ନେତୃତ୍ୱ ମଧ୍ୟରେ ପ୍ରଥମ ବୈଠକ ୧୬ ଏପ୍ରିଲରେ ହୋଇଥିଲା । ପାର୍ଟି ସୂତ୍ରରୁ ପ୍ରକାଶ ଯେ ଆଗାମୀ ଦିନରେ ଏପରି ଦୁଇଟି ସଭା ହୋଇପାରେ । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଏକାକୀ ଲଢିବା କିମ୍ବା ରାଜ୍ୟରେ ମିଳିତ ମଞ୍ଚ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାହୁଲ ଗାନ୍ଧୀ ମଧ୍ୟ ସହମତ କରିଛନ୍ତି । ପ୍ରଥମ ବୈଠକରେ ପ୍ରଶାନ୍ତ କିଶୋରଙ୍କ ତରଫରୁ କଂଗ୍ରେସକୁ ୩୭୦ ଯୋଜନା ଦିଆଯାଇଥିଲା । ଏଥିରେ ସେ କହିଥିଲେ ଯେ ଲୋକସଭାରେ କଂଗ୍ରେସ କେବଳ ୩୭୦ ଟି ଆସନ ଉପରେ ଧ୍ୟାନ ଦେବା ଉଚିତ୍‌ । ଏହା ବ୍ୟତୀତ ଅନ୍ୟ ସ୍ଥାନରେ ମେଣ୍ଟ ଭାବେ ଲଢିବା ଉଚିତ୍‌ ।
ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ତଥାପି ଏ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ପ୍ରଥମ ବୈଠକ ପରେ କେସି ଭେନୁଗୋପାଲ କହିଥିଲେ ଯେ ପ୍ରଶାନ୍ତ କିଶୋରଙ୍କ ଭୂମିକା ଆସନ୍ତା ଏକ ସପ୍ତାହରେ ପ୍ରକାଶ ପାଇବ । ଚଳିତ ବର୍ଷ ଶେଷରେ ହେବାକୁ ଥିବା ହିମାଚଳ ପ୍ରଦେଶ ଏବଂ ଗୁଜରାଟ ନିର୍ବାଚନ ମଧ୍ୟ ପି.କେଙ୍କ ସହ ଆଲୋଚନା ହେବ । ୟୁପି, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତାମାନେ କରୁଛନ୍ତି ଯେ, ପିକେଙ୍କ ସାହାଯ୍ୟରେ ସେମାନେ କିଛି ସଫଳତା ହାସଲ କରିପାରିବେ ୍ୟ
ସୋମବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ, କିନ୍ତୁ ରାହୁଲ ଗାନ୍ଧୀ ପହଞ୍ଚି ନଥିଲେ । କେବଳ ଏତିକି ନୁହେଁ ଆଜିର ବୈଠକରେ ମଧ୍ୟ ସେ ପହଞ୍ଚି ନାହାଁନ୍ତି । ରାହୁଲ ଗାନ୍ଧୀ କାହିଁକି ଏହି ବୈଠକରେ ସାମିଲ ହୋଇନାହାନ୍ତି ସେ ନେଇ କଂଗ୍ରେସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Comments (0)
Add Comment