ନିର୍ବାଚନ ପାଖେଇ ଆସିଲେ ରାଜନୀତିର ପୁରୁଣା ଫାଇଲ୍ରୁ ଧୂଳି ଝଡ଼ାଯାଏ। ଏବେ ଦେଶର ସବୁଠାରୁ ବଡ଼ ରାଜନୈତିକ ରଣାଙ୍ଗନ ଉତ୍ତରପ୍ରଦେଶରେ ଠିକ୍ ଏୟା ହିଁ ଦେଖିବାକୁ ମିଳୁଛି। ଆପଣଙ୍କର ମନେ ଥିବ, ବିହାର ନିର୍ବାଚନ ବେଳେ ଏନଡିଏ ବାରମ୍ବାର ଲାଲୁ ଯାଦବଙ୍କ ‘ଜଙ୍ଗଲରାଜ’ କଥା ଉଠାଉଥିଲା । ଏବେ ସେହି ସମାନ ‘ବିହାର ଫର୍ମୁଲା’ ବା ପ୍ଲେ-ବୁକ୍କୁ ୟୁପିରେ ପ୍ରୟୋଗ କରୁଛି ବିଜେପି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ପ୍ରତ୍ୟେକ ଭାଷଣରେ ବିରୋଧୀ ଅଖିଳେଶ ଯାଦବଙ୍କ ପୁରୁଣା ଶାସନର କଥା ଭୋଟରଙ୍କୁ ମନେ ପକାଇ ଦେଉଛନ୍ତି ।
ହେଲେ କାହିଁକି? ବିଜେପିର ଏହି ରଣନୀତି ପଛର ଅସଲ ଉଦ୍ଦେଶ୍ୟ କ’ଣ?
ଗତ ସପ୍ତାହରେ କାନପୁରର ବିଠୁରରେ ଯୋଗୀ ଆଦିତ୍ୟନାଥଙ୍କ ଏକ ବିଶାଳ ରାଲି ଥିଲା। ଆଶ୍ଚର୍ଯ୍ୟର କଥା ହେଉଛି- ୪୫ ମିନିଟର ଭାଷଣରେ ଯୋଗୀ ପ୍ରାୟ ୩୫ ରୁ ୪୦ ମିନିଟ୍ କେବଳ ପୂର୍ବତନ ସମାଜବାଦୀ ପାର୍ଟି ସରକାରର ତ୍ରୁଟି ଉପରେ ହିଁ ବର୍ଷିଥିଲେ। ଯୋଗୀ ସିଧାସଳଖ ଅଭିଯୋଗ କରିଥିଲେ ଯେ- ଏସପି ସରକାର ସମୟରେ ତୁଷ୍ଟୀକରଣ ରାଜନୀତି ହେଉଥିଲା, ବାରମ୍ବାର ସାମ୍ପ୍ରଦାୟିକ ଦଙ୍ଗା ଘଟୁଥିଲା ଏବଂ ହିନ୍ଦୁ ସାଂସ୍କୃତିକ ଐତିହ୍ୟକୁ ଅଣଦେଖା କରାଯାଉଥିଲା। ଏହାର ତୁଳନା କରି ଯୋଗୀ ନିଜ ସରକାରର ସଫଳତା କଥା ମଧ୍ୟ କହିଥିଲେ, ଯେପରିକି ଆଇନଶୃଙ୍ଖଳାରେ ସୁଧାର, ମନ୍ଦିର ନିର୍ମାଣ ଏବଂ ତୀର୍ଥସ୍ଥାନଗୁଡ଼ିକର ବିକାଶ। ଅର୍ଥାତ୍ ଲୋକଙ୍କ ମନରେ ଅତୀତର ଭୟ ସୃଷ୍ଟି କରି ନିଜର ଭୋଟ୍ ବ୍ୟାଙ୍କ୍ ମଜବୁତ କରିବା ହେଉଛି ବିଜେପିର ମାଷ୍ଟରପ୍ଲାନ୍।କିନ୍ତୁ ସମାଜବାଦୀ ପାର୍ଟି ମଧ୍ୟ ଚୁପ୍ ବସିନାହିଁ । ବିଜେପିର ଏହି ଆକ୍ରମଣ ଉପରେ କଡ଼ା ପ୍ରତିଆକ୍ରମଣ କରି ଏସପି ନେତାମାନେ କହିଛନ୍ତି ଯେ, ଯୋଗୀ ସରକାରଙ୍କ ପାଖରେ ଲୋକଙ୍କୁ ଦେଖାଇବା ପାଇଁ କୌଣସି ନୂଆ ବିକାଶମୂଳକ କାମ ନାହିଁ । ବେକାରୀ ଓ ମହଙ୍ଗା ମାଡ଼ ଭଳି ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ଜାଣିଶୁଣି ଅତୀତକୁ ଖୋଳୁଛି ।
ତେବେ ଏହା ଉପରେ ସଫେଇ ଦେଇ ବିଜେପି କହିଛି ଯେ ସେମାନେ କୌଣସି ପୁରୁଣା କଥା ଖୋଳୁନାହାନ୍ତି, ବରଂ ଗଣତନ୍ତ୍ରରେ ଭୋଟରଙ୍କ ସାମ୍ନାରେ ଦୁଇ ସରକାରର ଏକ ସ୍ୱଚ୍ଛ ତୁଳନାତ୍ମକ ଚିତ୍ର ରଖୁଛନ୍ତି। ଯାହା ଫଳରେ ଲୋକେ ଠିକ୍ ନିଷ୍ପତ୍ତି ନେଇପାରିବେ । ଏବେ ଦେଖିବାକୁ ବାକି ରହିଲା ଉତ୍ତରପ୍ରଦେଶର ଭୋଟର ବର୍ତ୍ତମାନର ସ୍ଥିତି ଦେଖି ନା ଅତୀତର ହିସାବ ଦେଖି ଭୋଟ୍ ଦେବେ ?