ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି । ତେବେ ଏହାରି ବିରୋଧରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି ଯେ, ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ବସଭବନରେ ବୁଝାମଣା କରାଯିବାକୁ ଉଦ୍ୟମ କରାଯାଇଥିଲା । ଏ ସମ୍ପର୍କରେ କିଛି ଟେଲିଫୋନ କଲ ରେକର୍ଡ ପୁଲିସକୁ ମିଳିଛି । ପୁଲିସ ଏହାକୁ ସିଲ କଭରରେ ତୃତୀୟ ମହଲକୁ ଦେଇସାରିଛି । ମନ୍ତ୍ରୀଙ୍କ ସମସ୍ତ କଲ ରେକର୍ଡ ଯାଞ୍ଚ ହେଉ । କିଛି ଅଣଓଡ଼ିଆ ଅଫିସର ବି ଏଥିରେ ସମ୍ପୃକ୍ତ, ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି । କେବଳ ମନ୍ତ୍ରୀ ନୁହଁନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସେଠାକୁ ଯାଉଥିଲେ । କାହିଁକି ଟିଆଇ ପରେଡ କରାଯାଉନି । ଡିଆଇଜି ଓ ଏସପି କେସକୁ ଦୁର୍ବଳ କରୁଛନ୍ତି । ତଦନ୍ତରୁ ଯେମିତି ଲାଗୁଛି କଳାହାଣ୍ଡି ଓ ବଲାଙ୍ଗିରରେ ସିନେମା ସୁଟିଂ ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।