ବିିସିସିବି କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଅଭିଯୋଗ

ବୈାଦ୍ଧ: ବୌଦ୍ଧସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀମାନଙ୍କୁ ସେମାନଙ୍କର ଯଥାର୍ଥ ପ୍ରାପ୍ୟ ପାଇବାରୁ ବଞ୍ଚିତ କରାଯାଉଥିବାର ଅଭିଯୋଗ ଆଣିଛି ବିସିସିବି ୱାର୍କର ୟୁନିଅନ । ଏ ସଂପର୍କରେ ସଂଗଠନର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏକ ଅଭିଯୋଗପତ୍ର ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ବୌଦ୍ଧ ସମବାୟ ବ୍ୟାଙ୍କ ବିଭିନ୍ନ ସମୟରେ ବିଭିନ୍ନ କେଳଙ୍କାରୀକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ବର୍ତ୍ତମାନ ୱାର୍କର ୟୁନିଅନର ଆପତ୍ତି ଅଭିଯୋଗ ଚର୍ଚ୍ଚାର ଏକ ଖୋରାକ ଯୋଗାଇଛି ।


ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଦେଇଥିବା ଚିଠି ଅନୁଯାୟୀ ଗ୍ରାଚ୍ୟୁଟି ଏବଂ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନରେ ବ୍ୟାଙ୍କ ପ୍ରଶାସନ ଅଯଥା ବିଳମ୍ବ କରିଆସୁଛନ୍ତି । ଫଳରେ ଜୀବନସାରା ଚାକିରୀ କରି ବ୍ୟାଙ୍କରୁ ଅବସର ନେବାପରେ ସେମାନେ ନାନା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କର୍ମଚାରୀମାନଙ୍କ ଚାକିରୀରେ ଯୋଗଦାନ ଦିନଠାରୁ ଗ୍ରାଚ୍ୟୁଟି ପ୍ରଦାନ ପାଇଁ ଦାବିକରି ଉପ ଶ୍ରମ କମିଶନର ସମ୍ବଲପୁରଙ୍କ ଠାରୁ ରାୟ ଆସିଥିଲେ ସୁଦ୍ଧା ବ୍ୟାଙ୍କ ସଂପାଦକ ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି । ବ୍ୟାଙ୍କର ପରିଚାଳନା ପରିଷଦ ଏ ସଂପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇସାରିଥିଲେ ସୁଦ୍ଧା ସଂପାଦକ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିବାରେ ଟାଳଟୁଳ ନୀତି ଆପଣାଉଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଯେଉଁ ବିଷୟରେ ଥରେ ନିଷ୍ପତ୍ତି ହୋଇଯାଇଛି ତାହାକୁ ସଂପାଦକ ଅଣଦେଖା କରି ଉପରିସ୍ଥ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମାଗି ଅଯଥା ସମୟ ଗଡାଇ ଚାଲୁଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କ ପ୍ରତି ସମବାୟ ବ୍ୟାଙ୍କ ସଂପାଦକଙ୍କ ଅସୂୟା ମନୋଭାବ ଯୋଗୁଁ କର୍ମଚାରୀମାନେ ନାନାଦି ହଇରାଣ ହେଉଥିବା ୟୁନିଅନ ଲିଖିତ ଅଭିଯୋଗ କରିଛି । କେଡର ସଂପାଦକ ଗ୍ରେଡର କର୍ମଚାରୀଙ୍କ ପ୍ରତି ରଖିଥିବା ଆକ୍ରୋଶ ଏବଂ ବୈମାତୃକ ନୀତିକୁ ପରିହାର କରି ସମବାୟ ନିବନ୍ଧକ ଓଡିଶାଙ୍କ ନିର୍ଦ୍ଦେଶ ପ୍ରକାରେ ଅବସରପ୍ରାପ୍ତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ଅବସରକାଳୀନ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାନଗଲେ ଆଇନ ଅଦାଲତର ଆଶ୍ରୟ ନେବାକୁ ସଂଘ ଧମକ ଦେଇଛି । କର୍ମଚାରୀସଂଘର ଦାବିପତ୍ର ପ୍ରତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତାମତ ନିଆଯାଇଥିଲା ସେ କହିଥିଲେ ୟୁନିଅନର ଚିଠି ପାଇଁଛି ଓ ତାର ଉତ୍ତର ୟୁନିଅନକୁ ଜଣାଇ ଦିଆଯିବ । ଯାହାର ଯାହା ପ୍ରାପ୍ୟ ବ୍ୟାଙ୍କରୁ ପାଇବାର ଅଛି ତାହା ନିୟମ ଅନୁଯାୟୀ ପ୍ରଦାନ କରାଯାଉଛି ଓ କୌଣସି ଅବହେଳା କରାଯାଉନାହିଁ ବୋଲି ସିଇଓ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Comments (0)
Add Comment