ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

କୋଲକାତା : ପୂର୍ବ ଭାରତର କୋକିଳକଣ୍ଠୀଭାବେ ପରିଚିତ ପ୍ରଖ୍ୟାତ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ନିର୍ମଳା ମିଶ୍ର ଓଡିଆ ଓ ବଙ୍ଗଳା ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ । ଷାଠିଏ ଓ ସତୁରି ଦଶରେ ସେ ଅନେକ ଓଡିଆ ଓ ବଙ୍ଗଳା ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ । ଆଜି ତାଙ୍କ ମର ଶରୀରକୁ କୋଲକାତାର ରବୀନ୍ଦ୍ର ସଦନକୁ ନିଆଯାଇଥିଲା । ସେଠାରେ ତାଙ୍କର ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ତା’ପରେ ସ୍ଥାନୀୟ କୋରତାଲା ଶ୍ମଶାନରେରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ତାଙ୍କୁ ବାଲକୃଷ୍ଣ ଦାସ ପୁରସ୍କାର ମିଳିଥିଲା । ସେ ଭୁନେଶ୍ୱର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ । ସେ ପ୍ରାୟ ୨୦ଟି ଓଡିଆ ଚଳଚ୍ଚିତ୍ରରେ ପ୍ରଛଦପଟ୍ଟ ଗାୟିକା ହେବାର ସୌଭାଗ୍ୟ ପାଇଥିଲେ । ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଅଦିନ ମେଘ,ସ୍ତ୍ରୀ,ଘର ସଂସାର, ମେଘ ମୁକ୍ତି ପ୍ରଭୃତି ସିନେମାରେ କଣ୍ଠଦାନ କରିଥିଲେ । ତାଙ୍କର ଜନପ୍ରିୟ ଓଡିଆ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ,ମୋ ମନର ବୀଣାର ତାରେଟ୍ଟ,ଜୀବନ ଯମୁନାରେ ଜୁଆର ଉଠେରେ,ଛାଡ ଛାଡ ମୋର ଅଞ୍ଚଳ, ହେମହାରିଣୀ ମଥାର ମଣି,ପରଦେଶୀ ବନ୍ଧୁ ତୁମେ ଯିବ ଉଡି ଉଡିକି, ଢେଉ ଢେଉକା ପାହାଡ ତଳେ, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା, ଯୋଛନା ଲୁଚନା,ସଞ୍ଜ ସକାଳେ ତୁମ ଛବି,ତୁମେ ଯଦି ସାଥୀ ପ୍ରଭୃତି ରହିଛି ।

Comments (0)
Add Comment