ମୁମ୍ବାଇ- ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ପୁତୁରା ତଥା ଅଭିନେତା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇ ପୋଲିସ ପକ୍ଷରୁ ଇମ୍ରାନଙ୍କୁ ଏକ ‘ଲିଭ୍ ଇଣ୍ଡିଆ ନୋଟିସ୍’ ଜାରି କରାଯାଇଛି, ଯେଉଁଥିରେ ତାଙ୍କୁ ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବିଦେଶୀ ନାଗରିକ ହୋଇ ମଧ୍ୟ ଭାରତରେ ରାଜନୈତିକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନଠାରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କକରୋଚ୍ ଜନତା ପାର୍ଟି (CJP) ସମର୍ଥନରେ ଆୟୋଜିତ ଏହି ଆନ୍ଦୋଳନରେ ଇମ୍ରାନ ଖାନ ସାମିଲ ହୋଇଥିଲେ ଏବଂ ପୋଲିସ ଦ୍ୱାରା ଅଟକ ମଧ୍ୟ ହୋଇଥିଲେ। ପୋଲିସର ସୂଚନାନୁସାରେ, ଇମ୍ରାନ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ପାଖରେ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) କାର୍ଡ ରହିଛି। ତେଣୁ ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ଆକ୍ଟ ଅନୁଯାୟୀ, ଜଣେ ବିଦେଶୀ ନାଗରିକ ଭାରତରେ କୌଣସି ରାଜନୈତିକ କାର୍ଯ୍ୟକଳାପ ବା ବିକ୍ଷୋଭରେ ଭାଗ ନେବା ବେଆଇନ ଅଟେ।