ଚୂଡ଼‌ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା, ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବିଜେପି ନଜର

ଭୁବନେଶ୍ବର: କାହାକୁ ଅପେକ୍ଷା କରିଛି ବିଜେପି? କାହା ପାଇଁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ହୋଇପାରୁନି? କେଉଁ ନୂଆ ନେତା ଦଳରେ ଯୋଗଦେଲେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ? ଅସନ୍ତୋଷ ଭୟରେ ପ୍ରାର୍ଥୀ ତାଲିକା ଘୋଷଣା ଘୂଞ୍ଚାଇ ଦିଆଯାଉନି ତ?

ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ଯେତେ ବିଳମ୍ବ ହେଉଛି, ‌ସେତେ ପ୍ରଶ୍ନ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଆନ୍ଦୋଳିତ କରୁଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି। ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଲେଣି। କିନ୍ତୁ ବିଜେପିର ତାଲିକା ଏ ଯାଏ ପ୍ରସ୍ତୁତ ହୋଇପାରୁନି। ଏପରିକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବି ତାଲିକା ଘୋଷଣା ହେଉ ନାହିଁ। ବିଜେପି ଶୀର୍ଷ ନେତୃତ୍ବ କେଉଁ ଉଦ୍ଦେଶ୍ୟରେ ଏମିତି ବିଳମ୍ବିତ ପ୍ରକ୍ରିୟାକୁ ଆପଣାଇଛନ୍ତି, ତାହା ଏବେ ଆଲୋଚନାର ବିଷୟ ହୋଇଛି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେଲା ପରେ କିଛି ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ବିଜେଡି ଟିକେଟ୍‌ରୁ ବଞ୍ଚିତ ସାଂସଦ ଓ ବିଧାୟକମାନେ ଦଳ ବିରୋଧରେ ଅସନ୍ତୋଷ ଓଗାଳିବା ଆରମ୍ଭ କଲେଣି। ସେମାନଙ୍କୁ ନ୍ୟାୟ ଦିଆ ନ ଗଲେ ଅନ୍ୟ ଦଳକୁ ଯାଇ ନିର୍ବାଚନ ଲଢ଼ିବେ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସେମାନଙ୍କ ପାଇଁ ବିଜେପି ହିଁ ବିକଳ୍ପ ଭାବେ ଉଭା ହୋଇଛି।

Comments (0)
Add Comment