ନିୟନ୍ତ୍ରିତ ହେଉ ନାହିଁ ବେଆଇନ ବନ୍ଧୁକ କାରବାର ପୁଲିସ ଦ୍ୱାରା ନିୟମିତ ଧରପକଡ଼ ଜାରି

ସମ୍ବଲପୁର, ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ନିୟମିତ ଧରପକଡ଼ ଜାରି ରହିଥିବା ସ୍ବତ୍ତେ ବେଆଇନ ବନ୍ଧୁକ କାରବାର ନିୟନ୍ତ୍ରଣ ରେ ଆସୁ ନାହିଁ । ଗତକାଲି ପୁଲିସ ଏକ ଗୁପ୍ତ ସୂଚନା ପାଇ ସ୍ଥାନୀୟ ଜୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରସିଂହ ଗ୍ରାମରେ ଚଢ଼ାଉକରି ଏକ ବେଆଇନ ଦେଶି ବନ୍ଧୁକ ଜବତ କରିବା ସହ ସେଠାରେ ଶିବଶଙ୍କର ମେହେର ନାମକ ଜଣେ ବ୍ୟକ୍ତି କୁ ଗିରଫ କରିଛି । ଜୁଜୁମୁରା ଥାନାରେ ଏ ବାବଦରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାନ ରେ ପଠାଇ ଦେଇଛି ।

ପ୍ରାପ୍ତ ସୂଚନା ଅନୁସାରେ ବିଗତ କିଛି ଦିନ ହେଲା ଜିଲ୍ଲା ରେ ବେଆଇନ ବନ୍ଧୁକ କାରବାର ରେ ବୃଦ୍ଧି ସହିତ ବନ୍ଧୁକ ମୁନରେ ଲୁଟ ଓ ଛିନତାଇ ଘଟଣା ବଢ଼ିବାରେ ଲାଗିଛି । ଗତ ପ୍ରାୟ ମାସେ ଭିତରେ ପୁଲିସ ପକ୍ଷରୁ ଚଢ଼ାଉ ବଳରେ ଚାରି ଟି ବିଦେଶୀ ବନ୍ଧୁକ ସମେତ ମୋଟ ତେରଟି ବେଆଇନ ବନ୍ଧୁକ ଜବତ କରାଯାଇଛି ତଥାପି ଏହି କାରବାର ପୁଲିସ ନିୟନ୍ତ୍ରଣ ବାହାରେ ରହିଥିବା ଜଣାଯାଏ । ଗତବର୍ଷ ସର୍ବମୋଟ ୩୭ଟି ବେଆଇନ ବନ୍ଧୁକ ଜବତ ହୋଇ ଥିବା ବେଳେ ଏ ବର୍ଷ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ସର୍ବମୋଟ ପନ୍ଦର ଟି ବେଆଇନ ବନ୍ଧୁକ ଜବତ କରା ଯାଇଛି ଓ ସେ ମଧ୍ୟରୁ ୧୪ ଟି ତ ଗତ ମାସେ ଭିତରେ ଜଵତ ହୋଇଛି ।

ବେଆଇନ ବନ୍ଧୁକ କାରବାର ଧରିବାରେ ଏତେ ବିପୁଳ ସଫଳତା ପାଇଥିଲେ ମଧ୍ୟ ଏସବୁ କେଉଁଠାରୁ ଆସୁଛି, ତାର ଟେର ପୁଲିସ ପାଇ ପାରୁ ନାହିଁ । ଗତବର୍ଷ ପଡୋଶୀ ରାଜ୍ୟ ଝାରଖଣ୍ଡ ରୁ ଏକ କାର ଯୋଗେ ବେଆଇନ ବନ୍ଧୁକ ଚାଲାନ ମାମଲାରେ ପୁଲିସ ଏଠାରେ ସେହି କାର ସହିତ ଚୋରା ଚାଲାନକାରୀ କୁ ଧରିଥିଲା କିନ୍ତୁ ଏହି କାରବାର ରେ ଲିପ୍ତ ଆଉ କାହାକୁ ଧରିବାରେ ଏ ପର୍ଯ୍ୟନ୍ତ କୌଣସି ସଫଳତା ପାଇ ପାରି ନାହିଁ ।

ଯଦି ବେଆଇନ ବନ୍ଧୁକ କାରବାର ଏହି ପ୍ରକାରେ ନିୟନ୍ତ୍ରଣ ବାହାରେ ରହିବ, ତାହେଲେ ଆଗାମୀ ଦିନରେ ନିର୍ବାଚନୀ ଝଗଡ଼ା ନାମରେ ବନ୍ଧୁକ ଗୁଳି ଫୁଟିବ, ଏହା ଅବଶ୍ଯମ୍ଭାବି ।

Comments (0)
Add Comment